ଟେଷ୍ଟ ଟିମକୁ କମବ୍ୟାକ କରିବେ କିଙ୍ଗ କୋହଲି, ଭେଟେରାନଙ୍କ ଅପିଲ ପରେ ଚର୍ଚ୍ଚା

ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ପରାଜୟ ପରେ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅବସର ନେଇ ବଡ଼ ବୟାନ ଆସିବା ଆରମ୍ଭ ହୋଇଛି।

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ପରାଜୟ ପରେ, ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅବସର ନେଇ ବଡ଼ ବୟାନ ଆସିବା ଆରମ୍ଭ ହୋଇଛି। ଲର୍ଡସରେ ପରାଜୟ ପରେ ଗୋଟିଏ ପଟେ ଗୌତମ ଗମ୍ଭୀର, ଶୁଭମନ ଗିଲ ଏବଂ ତାଙ୍କ ଦଳର ଭୁଲକୁ ଗଣୁଥିବା ବେଳେ, ଅନ୍ୟପଟେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଏବଂ ୧୯୮୩ରେ ଦେଶ ପାଇଁ ବିଶ୍ୱକପ୍ ଜିତିଥିବା ମଦନ ଲାଲ ଏକ ବିଶେଷ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୁଣି ଥରେ ବିରାଟ କୋହଲିଙ୍କୁ ଧଳା ଜର୍ସି ପିନ୍ଧିବାର ଦେଖିବାକୁ ଚାହୁଁଛନ୍ତି ।

ମଦନ ଲାଲ ବିରାଟ କୋହଲିଙ୍କୁ ଏକ ଭାବପ୍ରବଣ ଅପିଲ୍ କରିଛନ୍ତି ଏବଂ କହିଛନ୍ତି ଯେ “ଦୟାକରି ଟେଷ୍ଟ କ୍ରିକେଟରୁ ଆପଣଙ୍କର ଅବସର ଫେରାଇ ନିଅନ୍ତୁ”। ବିରାଟ କୋହଲି ମେ ମାସରେ ଅବସର ନେଇଥିଲେ।

ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ବରଂ ସମସ୍ତ କ୍ରିକେଟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ବର୍ତ୍ତମାନ ଲୋକମାନେ ଇଂଲଣ୍ଡ ଗସ୍ତରେ ତାଙ୍କୁ ମିସ୍ କରୁଛନ୍ତି ଏବଂ ଏହି କାରଣରୁ ମଦନ ଲାଲ କୋହଲିଙ୍କୁ ଏକ ଭାବପ୍ରବଣ ଅପିଲ୍ କରିଛନ୍ତି।

ବିରାଟ ତାଙ୍କର ଅବସର ଫେରାଇ ନେବା ଉଚିତ- ମଦନ ଲାଲ

ମଦନ ଲାଲ ବିରାଟ କୋହଲିଙ୍କୁ ତାଙ୍କର ଟେଷ୍ଟ ଅବସର ଫେରାଇ ନେବାକୁ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, “ଭାରତୀୟ କ୍ରିକେଟ୍ ପ୍ରତି ବିରାଟ କୋହଲିଙ୍କ ଆଗ୍ରହ ଅତୁଳନୀୟ । ତାଙ୍କର ତୁଳନା କାହା ସହିତ କରାଯାଇପାରିବ ନାହିଁ। ମୁଁ ଚାହେଁ ଯେ ସେ ତାଙ୍କର ଟେଷ୍ଟ ଅବସର ଫେରାଇ ନିଅନ୍ତୁ। ତାଙ୍କର ଅବସର ଫେରାଇ ନେବାରେ କିଛି ଭୁଲ ନାହିଁ। ଯଦି ଏହି ଟେଷ୍ଟ ସିରିଜରେ ନୁହେଁ, ତେବେ ତାଙ୍କୁ ପରବର୍ତ୍ତୀ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ଉଚିତ।“

ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ 123 ମ୍ୟାଚ୍‌ରେ 9230 ରନ୍ କରିଥିଲେ ଏବଂ ସେ 30 ଟି ଟେଷ୍ଟରେ ଶତକ ହାସଲ କରିଥିଲେ।