‘କିଛି ଭୁଲ ବନ୍ଧୁ ସାଙ୍ଗରେ ମିଶିଥିଲି’: କ୍ୟାରିୟରରେ ଅବନତି ପରେ ବଡ ଖୁଲାସା କଲେ ପୃଥ୍ୱୀ ଶ’

ମୁମ୍ବାଇ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଭାବେ ପରିଚିତ ପୃଥ୍ୱୀ ଶ’ଙ୍କ ପାଇଁ ଗତ ଦୁଇ ବର୍ଷ ଅତ୍ୟନ୍ତ କଠିନ ରହିଛି। ମୁମ୍ବାଇ ରଣଜୀ ଟ୍ରଫି ଦଳରୁ ବାଦ ପଡ଼ିବା ସହ ଆଇପିଏଲ ୨୦୨୫ ନିଲାମରେ ମଧ୍ୟ ତାଙ୍କୁ କୌଣସି ଦଳ କିଣି ନଥିଲା। ଫିଟନେସ ଓ ଜୀବନଶୈଳୀକୁ ନେଇ ଚର୍ଚ୍ଚା ମଧ୍ୟରେ ପୃଥ୍ୱୀ ପ୍ରଶଂସକ ଓ ବିଶେଷଜ୍ଞମାନଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ୨୫ ବର୍ଷୀୟ ପୃଥ୍ୱୀ ନିଜର ସଂଘର୍ଷ ଓ ଭୁଲ ନିଷ୍ପତ୍ତି ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି।

ପୃଥ୍ୱୀ କହିଛନ୍ତି, “ମୁଁ ଜୀବନରେ କିଛି ଭୁଲ ନିଷ୍ପତ୍ତି ନେଇଛି। ମୋ ମନେ ହୁଏ ମୁଁ କ୍ରିକେଟକୁ କମ ସମୟ ଦେବା ଆରମ୍ଭ କରିଥିଲି। ୨୦୨୩ ପର୍ଯ୍ୟନ୍ତ ମୁଁ ଦିନରେ ପ୍ରାୟ ଅଧା ସମୟ ମଇଦାନରେ ବିତାଉଥିଲି। କିନ୍ତୁ ତା’ପରେ ମୁଁ ଭୁଲ ଜିନିଷକୁ ଗୁରୁତ୍ୱ ଦେବା ଆରମ୍ଭ କଲି। ମୁଁ କିଛି ଭୁଲ ବନ୍ଧୁଙ୍କ ସାଙ୍ଗରେ ମିଶିଲି। ସେତେବେଳେ ମୁଁ କ୍ୟାରିୟରର ଶୀର୍ଷରେ ଥିଲି ଓ ଏହି ସମୟରେ ଅନେକ ବନ୍ଧୁ ଆକର୍ଷିତ ହୁଅନ୍ତି। ମୁଁ ଟ୍ରାକରୁ ଓହରି ଗଲି ଓ ମଇଦାନରେ ମୋର ସମୟ ୮ ଘଣ୍ଟାରୁ କମି ୪ ଘଣ୍ଟାକୁ ଆସିଗଲା।”

ପୃଥ୍ୱୀ ନିଜର ବ୍ୟକ୍ତିଗତ ଜୀବନରେ ଆସିଥିବା ନିମ୍ନ ପର୍ଯ୍ୟାୟ ବିଷୟରେ ମଧ୍ୟ ଖୋଲିଛନ୍ତି। ସେ କହିଛନ୍ତି, “ଅନେକ ଜିନିଷ ଘଟିଛି। କେବଳ ଏତିକି ନୁହେଁ। ମୋର ପରିବାରରେ ସମସ୍ୟା ଥିଲା। ମୋ ଜେଜେ ମରିଯାଇଥିଲେ, ଯିଏ ମୋ ପାଇଁ ବହୁତ ପ୍ରିୟ ଥିଲେ। ଅନେକ କଥା ଅଛି ଯାହା ମୁଁ କହି ପାରିବି ନାହିଁ, କିନ୍ତୁ ମୁଁ ଏହାକୁ ଅନୁଭବ କରିଛି।”

ସେ ଆହୁରି କହିଛନ୍ତି, “ମୁଁ ମୋ ଭୁଲ ସ୍ୱୀକାର କରୁଛି। କିନ୍ତୁ ମୋ ବାପା ସବୁବେଳେ ମୋତେ ସମର୍ଥନ କରିଛନ୍ତି। ମୋର ଖରାପ ସମୟ ହେଉଛି କି ଭଲ ସମୟ, ସେ ସବୁକିଛି ଦେଖିଛନ୍ତି।”

ନିକଟରେ ପୃଥ୍ୱୀ ମୁମ୍ବାଇ ଛାଡ଼ି ଅନ୍ୟ ରାଜ୍ୟ ପାଇଁ ରଣଜୀ ଟ୍ରଫି ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ତାଙ୍କୁ ଏକ ଅନାପତ୍ତି ପ୍ରମାଣପତ୍ର (ଏନଓସି) ମଧ୍ୟ ପ୍ରଦାନ କରିଛି। ଏହି ନିଷ୍ପତ୍ତି ତାଙ୍କ କ୍ୟାରିୟରରେ ଏକ ନୂଆ ଅଧ୍ୟାୟର ସୂଚନା ଦେଉଛି।

ପୃଥ୍ୱୀଙ୍କ ଏହି ଖୁଲାସା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ନୂଆ ଆଲୋଚନା ସୃଷ୍ଟି କରିଛି। ତାଙ୍କ ପୂର୍ବ ସଫଳତା ଓ ସମ୍ଭାବନାକୁ ଦେଖି ଅନେକେ ଆଶା ରଖିଛନ୍ତି ଯେ ସେ ନିଜର ଭୁଲରୁ ଶିକ୍ଷା ନେଇ ପୁନର୍ବାର ଭାରତୀୟ କ୍ରିକେଟରେ ନିଜର ସ୍ଥାନ ଫେରାଇ ଆଣିବେ।