ମହିଳାଙ୍କର ହୋଇଥିଲା ହତ୍ୟା, ୨ ବର୍ଷ ହେଲା ସଜା ଭୋଗୁଛନ୍ତି ୪ ଅଭିଯୁକ୍ତ, ୨ବର୍ଷ ପରେ ଫେରି ଆସିଲେ ମୃତ ମହିଳା
ମହିଳାଙ୍କୁ ହତ୍ୟା ଅଭିଯୋଗରେ ୨ ବର୍ଷ ହେଲା ସଜା ଭୋଗୁଛନ୍ତି ୪ ଅଭିଯୁକ୍ତ। ହେଲେ ହଠାତ୍ ମୃତ ମହିଳା ୨ ବର୍ଷ ପରେ ଜୀବନ୍ତ ଅବସ୍ଥାରେ ଘରକୁ ଫେରି ଆସିଲେ।
ଉତ୍ତରପ୍ରଦେଶ: ମରିଯାଇଥିଲେ ମହିଳା। ଆଉ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହି ଘଟଣାକୁ ପାଖାପାଖି ୨ ବର୍ଷ ପୂରିବାକୁ ବସିଲାଣି। ହତ୍ୟା ଅଭିଯୋଗରେ ୪ ଜଣ ଏବେବି ସଜା କାଟୁଛନ୍ତି। ହେଲେ ୧୮ ମାସ ପରେ ହଠାତ୍ ମୃତ ମହିଳା ଜଣକ ସଶରୀରେ ଘରେ ପହଞ୍ଚିଲେ।
ଯାହାକୁ ଦେଖି ଘରଲୋକ ଆଶ୍ଚର୍ଯ୍ୟ ହୋଇଗଲେ। କିପରି ଜଣେ ମୃତ ଲୋକ ଦୀର୍ଘ ଦିନ ପରେ ଫେରି ଆସିବ ବୋଲି ଭାବି ଚିନ୍ତିତ ହୋଇପଡିଲେ। ଆଉ ଶେଷରେ ଥାନାର ଦ୍ୱାରସ୍ଥ ହେଲେ। ଆଉ ତାପରେ ସମସ୍ତ ଘଟଣା ସାମ୍ନାକୁ ଆସିଲା।
ମୃତ ମହିଳା: ତେବେ ଏପରି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମନ୍ଦସୌର ଜିଲ୍ଲାର ଗାନ୍ଧୀସାଗର ଥାନା ଅଞ୍ଚଳର ନାଭାଲି ଗାଁରେ। ଉକ୍ତ ଗାଁର ମହିଳା ଲଳିତା ବାଈ। ଯାହାଙ୍କର ୨୦୨୩ ମସିହାରେ ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଥିଲା।
ଯେତେବେଳେ ଲଳିତା ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବାପା ରମେଶ ଗାନ୍ଧୀ ସାଗର ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ଦାୟର କରିଥିଲେ।
ସେପ୍ଟେମ୍ବର ୨୦୨୩ରେ, ଝାବୁଆ ଜିଲ୍ଲାର ଥାଣ୍ଡଲା ଥାନା ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ, ଏକ ଟ୍ରକ୍ ଜଣେ ମହିଳାଙ୍କୁ ଚାପି ଦେଉଥିବାର ଦେଖିବାକୁ ମିଳିଥିଲା। ଲଳିତାଙ୍କ ପରିବାର ଭାଇରାଲ ଭିଡିଓ ବିଷୟରେ ଜାଣିବା ପରେ, ସେମାନେ ଥାଣ୍ଡଲା ପୋଲିସ ସହିତ ଯୋଗାଯୋଗ କରିଥିଲେ।
ଖଣ୍ଡବିଖଣ୍ଡିତ ମୃତଦେହଟି ଲଳିତା ବୋଲି ଚିହ୍ନଟ ହୋଇଥିଲା। ପୋଲିସ ହତ୍ୟା ଅଭିଯୋଗରେ ଭାନପୁରା ବାସିନ୍ଦା ଇମ୍ରାନ, ଶାହରୁଖ, ସୋନୁ ଏବଂ ଏଜାଜଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ଏହି ଚାରିଜଣଙ୍କୁ ଝାବୁଆ ଜେଲରେ ରଖାଯାଇଛି ଏବଂ ମାମଲା କୋର୍ଟରେ ବିଚାରାଧୀନ ଅଛି।
ଘରକୁ ଫେରିଲେ ମୃତ ମହିଳା: ହେଲେ ହଠାତ୍ ଏବେ ଜୀବନ୍ତ ଅବସ୍ଥାରେ ନିଜ ଘରେ ଆସି ପହଞ୍ଚିଛନ୍ତି ମୃତ ମହିଳା ଲଳିତା। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ ପରିବାର ଲୋକେ। ତେଣୁ ସମସ୍ତେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
କେଉଁଠି ଥିଲେ ମହିଳା: ମହିଳା ଜଣଙ୍କ ଥାନାରେ ପହଞ୍ଚିବା ପରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଏବଂ ସେ ହିଁ ଲଳୀତା ବୋଲି ସବୁ ପ୍ରମାଣ ଦେଇଥିଲେ। ଲଳୀତାଙ୍କ କହିବା କଥା, ସେ ଭାନପୁରାର ବାସିନ୍ଦା ଶାହରୁଖଙ୍କ ସହିତ ଦୁଇ ଦିନ ରହିଥିଲେ।
ସେ ତାଙ୍କୁ କୋଟା ନେଇଗଲେ ଏବଂ ସେଠାରେ ତାଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ତା’ପରେ ସେ କୋଟାରେ ବନ୍ଧକ ହୋଇ ରହିଲେ।
ସୁଯୋଗ ପାଇବା ମାତ୍ରେ ସେ ଦୌଡ଼ି ପଳାଇ ଘରକୁ ଫେରି ଆସିଲା। ଲଳିତା କହିଲେ, ମୁଁ ଗାଁରେ ପହଞ୍ଚିବା ପାଇଁ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲି। ମୋ ପାଖରେ ମୋବାଇଲ୍ ଫୋନ୍ ନଥିଲା, ତେଣୁ ମୁଁ ମୋ ପରିବାର ସହିତ ଯୋଗାଯୋଗ କରିପାରିଲି ନାହିଁ। ଲଳୀତା ଘରକୁ ଫେରିବା ଦେଖି ତାଙ୍କ ୨ ପୁଅ ବି ବେଶ ଖୁସି ଅଛନ୍ତି।
ହେଲେ ଏବେ ପୋଲିସ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଆସିଛି। ଯଦି ମରି ଯାଇଥିବା ଲଳୀତା ଜୀବିତ। ତାହାଲେ ସେଦିନ ଯିଏ ମରିଯାଇଥିଲା ତାର ପରିଚୟ କ’ଣ। ଯାହାଙ୍କର ଅନ୍ତିମ ସଂସ୍କାର ଲଳୀତାଙ୍କ ପରିବାର କରିଥିଲେ ସିଏ କିଏ?