ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ କଅଁଳ । ବୁଦ୍ଧି କିନ୍ତୁ ପାକଳ । ଏପରି ମେଧା ଶକ୍ତି ଯେ ମହାଭାରତ ଭଳି ପୌରାଣିକ ଗାଥାକୁ ମାତ୍ର ହଜାରେ ଛନ୍ଦରେ ସଜାଇ ପଦ୍ୟ ରଚନା କରିଦେଲେ । ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି ଦେଖାଇଛନ୍ତି ସ୍କୁଲ୍ ଛାତ୍ରୀ ସିୟା ଗୁପ୍ତା । ଆଉ ସେ ରଚିଥିବା ନୂଆ ପଦ୍ୟର ନାଁ ଦେଇଛନ୍ତି ‘ଦ ମହାଭାରତ ଇନ୍ ରାଇମ୍’ । ତେବେ ଏହା ତାଙ୍କର ପ୍ରଥମ ପୁସ୍ତକ ନୁହେଁ, ସେ ଆଠ ବର୍ଷ ବୟସରେ ନିଜର ପ୍ରଥମ ପୁସ୍ତକ ‘ଦ ମେଜିକଲ୍ ୱର୍ଲଡ ଅଫ୍ ପୋଏମ୍ସ’ ରଚନା କରିସାରିଛନ୍ତି ।
ସିୟାଙ୍କ ଦକ୍ଷତା ଓ ସାରସ୍ୱତ ସାଧନା କମ୍ ବୟସରେ ଚକିତ କରିଦେଇଛି । ଅଲାଦିନ୍, ସିଣ୍ଡ୍ରୋଲା, ସ୍ନୋ ହ୍ୱାଇଟ୍ ଆଣ୍ଡ୍ ସେଭେନ୍ ଡ୍ୱାଫର୍ସ ଏବଂ ବ୍ୟୁଟି ଆଣ୍ଡ୍ ଦ ବିଷ୍ଟ୍ ଭଳି ଲୋକପ୍ରିୟ କାହାଣୀକୁ ଆଧାର କରି ସିୟା ‘ଟେଲ୍ସ ଇନ୍ ଦ ରାଇମ୍’ ପୁସ୍ତକ ମଧ୍ୟ ଲେଖିସାରିଛନ୍ତି । ନିକଟରେ ପ୍ରକାଶ ପାଇଥିବା ପୁସ୍ତକରେ ଧର୍ମ, କର୍ତ୍ତବ୍ୟ ଓ ବଳିଦାନର ଆଦର୍ଶକୁ କେନ୍ଦ୍ର କରି ସିୟା ଦର୍ଶାଇଛନ୍ତି ଯେ ଏକବିଂଶ ଶତାବ୍ଦୀରେ ମହାଭାରତର କଣ ପ୍ରାସଙ୍ଗିକତା ରହିଛି । ହସ୍ତିନାପୁର ସିଂହାସନ ପାଇଁ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ କେଉଁ ଚରିତ୍ର କଣ ନୈତିକତାର ଦାୟିତ୍ୱ ନିର୍ବାହ କଲେ ସେ ସମ୍ପର୍କରେ ସୟା ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି ।
ଓମ୍ ବୁକ୍ସ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଇପ୍ରିଣ୍ଟ୍ ଓମ୍ କିଡ୍ଜ ପକ୍ଷରୁ ସିୟାଙ୍କ ସଚ୍ଚିତ୍ର ପୁସ୍ତକ ପ୍ରକାଶ କରାଯାଇଛି । ଖାଲି ଏତିକି ନୁହେଁ ପ୍ରଥମଥର ପାଇଁ ଜୟପୁର ସାହିତ୍ୟ ମହୋତ୍ସବ-୨୦୨୧ରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା । ମହୋତ୍ସବର ସହ-ନିର୍ଦ୍ଦେଶିକା ନମିତା ଗୋଖଲେଙ୍କ କହିବା ଅନୁସାରେ ମହାଭାରତର କାହାଣୀ କବିତା ମାଧ୍ୟମରେ ଶୁଣାଇବା ନୂଆ ପିଢ଼ି ପାଇଁ ଏକ ମହାନ କାବ୍ୟକୁ ଜୀବନ୍ତ କରିବା ସଦୃଶ । ସିୟାଙ୍କୁ ସବୁଆଡୁ ମିଳୁଛି ଭୁରି ଭୁରି ଶୁଭେଚ୍ଛା ଓ ପ୍ରଶଂସା ।