fbpx

ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ପାଇଁ ପୋଲିସର ଅନୁମତି ନେବାକୁ ହେବ

ମସଜିଦରେ ବାଜୁଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ଏକ ବଡ଼ ନିଷ୍ପତି ନେଇଛନ୍ତି ନାସିକ ଜିଲ୍ଲା ପ୍ରଶାସନ । ଏବେ ଏଠାରେ ଲାଉଡସ୍ପିକରେ ହନୁମାନ ଚାଳିସା ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ କହିଛନ୍ତି ଯେ ଆଜାନ ପୁର୍ବରୁ ଏବଂ ପର ୧୫ ମିନିଟ ମଧ୍ୟରେ ଏହାର ଅନୁମତି ମିଳିବ ନାହିଁ । ଖାଲି ଏତିକି ନୁହେଁ, ମସଜିଦର ୧୦୦ ମିଟର ମଧ୍ୟରେ ହନୁମାନ ଚାଳିସା ବଜାଇବାକୁ ଅନୁମତି ମିଳିବ ନାହିଁ ।

ନାସିକ କମିଶନର କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ଆଇନ ବ୍ୟବସ୍ଥା ବଜାୟ ରଖିବା । ସେ କହିଛନ୍ତି ଯେ ମେ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସ୍ଥଳକୁ ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିବ । ଏହା ପରେ ମେ ୩ ତାରିଖ ପରେ ମଧ୍ୟ ଯଦି କୌଣସି ଅନୁଷ୍ଠାନ ଏହି ନିୟମକୁ ଉଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଲାଉଡ ସ୍ପିକର ବିବାଦ ମଧ୍ୟରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବଡ଼ ନିଷ୍ପତି ନିଆଯାଇପାରେ । ଏବେ ରାଜ୍ୟରେ ପୋଲିସ ଅନୁମତି ପରେ ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବାକୁ ଅନୁମତି ମିଳିବ । ରାଜ୍ୟ ଗୃହମନ୍ତ୍ରୀ ଦିଲ୍ଲୀପ ବାଲସେ ପାଟିଲ ଆଜି ଏହି ସମ୍ବନ୍ଧରେ ଡିଜିପି କିମ୍ବା ପୋଲିସ କମିଶନରଙ୍କ ସହିତ ଆଲୋଚନା କରିପାରନ୍ତି । କୁହାଯାଉଛି ଯେ ଏହି ବିଷୟରେ ଆଜି ସେ କୌଣସି ସୂଚନା ଦେଇପାରନ୍ତି । ଏହା ସହିତ ଆଜି ସେ ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବଜାଇବା ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା କରିପାରନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ ଲାଉଡସ୍ପିକର ବିବାଦ ଲାଗି ରହିଛି । ମହାରାଷ୍ଟ୍ର ନିବନିର୍ମାଣ ସେନା(ମନସା) ମୁଖ୍ୟ ରାଜ ଠାକରେ ଶିବାଜୀ ପାର୍କରେ ଏକ ସଭାକୁ ସମ୍ବୋଧନ କରି ମସଜିଦରୁ ଲାଉଡସ୍ପିକର ହଟାଇବାକୁ ଦାବି କରିଥିଲେ । ସେ ଚେତାବନୀ ଦେଇଥିଲେ ଯେ ଯଦି ମେ ୩ ଭିତରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ କୌଣସି ନିଷ୍ପତି ନନିଅନ୍ତି, ତ ସେମାନେ ମସଜିଦ ବାହାରେ ଲାଉଡସ୍ପିକରରେ ହନୁମାନ ଚାଳିସା ବଜାଇବେ । ଏହା ପରେ ରାଜ୍ୟରେ ଏବେ ସାମ୍ପ୍ରଦାୟିକ ହିଂସାକୁ ନେଇ ଅଶଙ୍କା କରାଯାଉଛି ।

 

Get real time updates directly on you device, subscribe now.