fbpx

ମନେ ରହିବ ମାହିଙ୍କ ଆକାଶ ଚୁମ୍ବନ 6 !

Writing by Satyaprangya Gouda

କ୍ରୀଡ଼ା ଜଗତର କୋହିନୂର ହୀରା ହେଉଛନ୍ତି ମହେନ୍ଦ୍ର ସିଂ ଧୋନି । ୨୦୨୦ ମସିହା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୭ ଘଣ୍ଟା ୨୯ ମିନିଟ୍ ବେଳେ ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । କାରଣ ଏହି ସମୟରେ କ୍ୟାପ୍‌ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଯାହାକି ବିଶ୍ୱର ସମସ୍ତ କ୍ରିକେଟ୍‌ପ୍ରେମୀ ଏବଂ କ୍ରୀଡ଼ା ଜଗତକୁ ଚକିତ କରିଦେଇଥିଲା । କୌଣସି ପ୍ରେସ୍‌ମିଟ୍ ନୁହଁ , କି କୌଣସି ଆଗୁଆ ସୂଚନା ନୁହଁ । ଧୀରସ୍ଥିର ଭାବରେ ନିଜର ଅବସର ଘୋଷଣା କଲେ ମାହି । ଧୋନି ପଡ଼ିଆ ଭିତରେ ଯେଉଁଭଳି ଭାବରେ ଶାନ୍ତ ରହି ଆକ୍ମସିତ କାର୍ଯ୍ୟ କରୁଥିଲେ , ଠିକ୍ ସେଭଳି ଶାନ୍ତ ରହି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ନିଜର ଅବସର ଘୋଷଣା କରିଦେଲେ । ପଡ଼ିଆ ମଧ୍ୟରେ ଆଉ ଦେଖିବାକୁ ମିଳିବନି ଧୋନି ଧମାକା । ସେହି ଆକାଶ ଚୁମ୍ବନ ଛକାର ମଜା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଖିବାକୁ ମିଳିବନି । ସରିଗଲା କ୍ୟାପଟେନ କୁଲ୍‌ଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନ । ଅନ୍ତର୍ଜାତୀୟ କ୍ରିକେଟ୍ କୁ ଅଲ୍‌ବିଦା କହିଲେ ମାହି । ଦୀର୍ଘ ଦିନର କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ କ୍ରିକେଟ୍ ଜୀବନରୁ ସନ୍ନ୍ୟାସ ଗ୍ରହଣ କଲେ ମହେନ୍ଦ୍ର ସିଂ ଧୋନି । ଅଧୁରା ରହିଗଲା ଆଉ ଏକ ବିଶ୍ୱକପ ଖେଳିବା ସ୍ୱପ୍ନ ।

ଭାରତୀୟ କ୍ରିକେଟ୍‌ର କୋହିନୂର ହୀରା ଆଖ୍ୟା ପାଇଥିବା ଧୋନି ସବୁବେଳେ ଆକସ୍ମିକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ବିସ୍ମିତ କରୁଥିବା ବେଳେ ହଠାତ୍ ଅବସର ଘୋଷଣା କରି ଅନୁରୂପ ଚରିତ୍ରର ଆଉ ଏକ ଝଲକ ଦେଖାଇଛନ୍ତି । ଟେଷ୍ଟ ଓ ଦିନିକିଆ ଅଧିନାୟକତ୍ୱ ଛାଡିବା ବେଳେ ମଧ୍ୟ ଅନୁରୂପ ଢ଼ଙ୍ଗରେ ସମସ୍ତଙ୍କୁ ସର୍‌ପ୍ରାଇଜ ଦେଇଥିଲେ । ମାହି ନାମରେ ପରିଚିତ ଧୋନି ଫୁଟବଲ୍ ଗୋଲ୍ କିପର୍‌ରୁ ବନି ଯାଇଥିଲେ କ୍ରିକେଟ୍ ୱିକେଟ୍ କିପର୍ । ବିଶ୍ୱ କ୍ରିକେଟ୍‌ର ଏକ ମାତ୍ର ଅଧିନାୟକ ଭାବେ ଜିଣିଥିଲେ ଆଇସିସିର ତିନି ବୃହତ୍ତ ଟ୍ରଫି । ବହୁ ଚର୍ଚ୍ଚିତ ସଫଳ ଅଧିନାୟକ ଧୋନି ହେଉଛନ୍ତି ଜଣେ ଅନନ୍ୟ ସର୍ବଗୁଣ ସପଂନ୍ନ ବିଶ୍ୱ ବିଦିତ ଖେଳାଳି । ଆନ୍ତର୍ଜାତୀୟ କ୍ରିକେଟ ଜୀବନରେ ପାଦ ଥାପିବା ମୁହୂର୍ତ୍ତରୁ କ୍ରିକେଟ ଦୁନିଆକୁ ଦେଖାଇ ଥିଲେ ନିଜର ବହୁମୁଖି ପ୍ରତିଭା । ଘରୋଇ କ୍ରିକେଟରେ ସଫଳ ହେବା ପରେ ଜାତୀୟ ଦଳରେ ସାମିଲ ହେବା ସୌଭାଗ୍ୟ ତାଙ୍କୁ ଦେଇଥିଲା ଏକ ବୃହତ୍ତ ସଫଳତା ।

 

ଧୋନି ୨୦୦୪ ମସିହାରେ ଭାରତ- ବାଂଲାଦେଶ ମୁକାବିଲାରୁ ଆରମ୍ଭ କରିଥିଲେ ଆନ୍ତର୍ଜାତୀୟ କ୍ରିକେଟ ଜୀବନ । ସେହି ସମୟରେ ଭାରତ -ବାଂଲାଦେଶ ମଧ୍ୟରେ ଚାଲିଥିଲା ଦିନିକିଆ କ୍ରିକେଟ୍ ସିରିଜ୍ । ସେହିପରି ୨୦୦୫ ବର୍ଷରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିଥିଲେ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ । ଦିନିକିଆ କ୍ରିକେଟ ଖେଳିବାର ମାତ୍ର ତିନି ବର୍ଷ ପରେ ସେ ବନି ଯାଇଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ । କ୍ରମାଗତ ସଫଳତା ଯୋଗୁଁ ୨୦୦୭ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ପ୍ରତିଷ୍ଠା କରିଥିଲେ ଏକଧିକ ନିଆରା ରେକର୍ଡ । ସେହିପରି ୨୦୦୮ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ଭାର ସମ୍ଭାଳି ଜଣେ ସଫଳ ଅଧିନାୟକର ପରିଚୟ ଦେଇଥିଲେ । ଧୋନି ବିଶ୍ୱ କ୍ରିକେଟର ଏକମାତ୍ର ଅଧିନାୟକ ଭାବେ ଆଇସିସି ଆନୁକୂଲ୍ୟରେ ଅନୁଷ୍ଠିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟ୍ରଫି ଜିଣିବାରେ ସଫଳ ହୋଇଥିଲେ ।

ମାହିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ୨୦୦୭ ମସିହାର ଟି-୨୦ ବିଶ୍ୱକପ, ୨୦୧୦ ଓ ୨୦୧୬ ମସିହାର ଏସିଆ କପ, ୨୦୧୧ ମସିହାର ଆଇସିସି ଦିନିକିଆ ବିଶ୍ୱକପ ଓ ୨୦୧୩ ମସିହାର ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା । ବିଶ୍ୱ କ୍ରିକେଟ୍ ଇତିହାସରେ ଡାହାଣ ହାତୀ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଧୋନି ସୀମିତ ଓଭର ଆନ୍ତର୍ଜାତୀୟ କ୍ରିକେଟର ଧୁରନ୍ଧର ଅଧିନାୟକ, ୱିକେଟ କିପର ଓ ଶ୍ରେଷ୍ଠ ଫିନିଶର ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

୧୯୮୧ ମସିହା ଜୁଲାଇ ୭ ତାରିଖ ଦିନ ଝାଡଖଣ୍ଡର ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନି । ସେ ଜଣେ ହିନ୍ଦୁ ରାଜପୁତ । ଉତରାଖଣ୍ଡର ଅଲମୋରା ଜିଲ୍ଲା ଲାମଗଡ ବ୍ଳକ ଅନ୍ତର୍ଗତ ଲାଓାଲି ଗ୍ରାମ ହେଉଛି ତାଙ୍କ ପୈତୃକ ସ୍ଥାନ । ତେବେ ଧୋନିଙ୍କ ବାପା ପାନ ସିଂ ବିହାରର (ବର୍ତ୍ତମାନ ଝାଡଖଣ୍ଡ) ରାଞ୍ଚି ସ୍ଥିତ ମେକନ ସଂସ୍ଥାରେ ଜୁନିଅର ମ୍ୟାନେଜମେଣ୍ଟ ପୋଜିସନରେ କାମ କରୁଥିବା ଦୃଷ୍ଟିରୁ ନିଜ ପରିବାର ଉତରାଖଣ୍ଡ ଛାଡି ଝାଡଖଣ୍ଡ ଚାଲି ଆସିଥିଲେ । ଧୋନିଙ୍କର ଭାଇଙ୍କ ନାମ ନରେନ୍ଦ୍ର ସିଂ ଓ ଭଉଣୀ ହେଉଛନ୍ତି ଜୟନ୍ତୀ ଗୁପ୍ତା । ସେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ଆଡାମ ଗିଲକ୍ରିଷ୍ଟ , କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର , ବଲିଉଡ ସୁପର ଷ୍ଟାର ଅମିତାଭ ବଚ୍ଚନ ଓ ପ୍ରାତଃ ସ୍ମରଣୀୟ ଗାୟିକା ଲତା ମଙ୍ଗେସକରଙ୍କର ସବୁଠାରୁ ବଡ ପ୍ରଶଂସକ । ରାଞ୍ଚିର ଶ୍ୟାମାଲି ସ୍ଥିତ ଡିଏଭି ଜବାହାର ବିଦ୍ୟା ମନ୍ଦିରରେ ଅଧ୍ୟୟନ କରିଥିବା ବେଳେ ଛୋଟ ବୟସରୁ ବ୍ୟାଡମିଣ୍ଟନ ଓ ଫୁଟବଲ ପ୍ରତି ଅଧିକ ରୁଚି ରଖିଥିଲେ । ଭଲ ପ୍ରଦର୍ଶନ କରିବା ଯୋଗୁଁ ସେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଓ ଫୁଟବଲ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରୁଥିଲେ । ଫୁଟବଲ ଗୋଲ କିପର ଭାବେ ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ ଧୋନି । ତେବେ ଏକଦା ନିଜ ଫୁଟବଲ କ୍ଳବ କୋଚଙ୍କ ନିର୍ଦ୍ଦେଶ କ୍ରମେ ଏକ କ୍ରିକେଟ ମ୍ୟାଚ ଖେଳିବା ପାଇଁ ଯାଇଥିଲେ ।

ଆଶ୍ଚର୍ଯ୍ୟର କଥା ହେଲା ଯେ ତାଙ୍କୁ ୱିକେଟ କିପିଂ ଦାୟିତ୍ୱ ଦିଆ ଯାଇ ଥିଲା । ଅତି ଚମତ୍କାର ପ୍ରଦର୍ଶନ ଯୋଗୁଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରି ଥିଲେ । ତା’ ପରଠାରୁ ଆରମ୍ଭ ହୋଇ ଥିଲା ତାଙ୍କ କ୍ରିକେଟ ଜୀବନ । ପରବର୍ତ୍ତି ସମୟରେ ଫୁଟବଲ ଓ ବ୍ୟାଡମିଣ୍ଟନ ଛାଡି କ୍ରିକେଟ ପ୍ରତି ଅଧିକ ଧ୍ୟାନ ଦେଇଥିଲେ । ଲଗାତର ଭଲ ଖେଳିବା ଫଳରେ ସ୍ଥାନୀୟ କମାଣ୍ଡୋ କ୍ଳବ କ୍ରିକେଟ ଦଳର ନିୟମିତ ୱିକେଟ କିପର ଭାବେ ୧୯୯୫ରୁ ୧୯୯୮ ମସିହା ପର୍ଯ୍ୟନ୍ତ ସାମିଲ ହୋଇ ଭବିଷ୍ୟତ କ୍ରିକେଟ ଜୀବନ ପାଇଁ ମଜଭୂତ ମୂଳଦୁଆ ପକାଇବା ପାଇଁ ସୁଯୋଗ ପାଇଥିଲେ । ପରେ ସେ ୧୯୯୭/୯୮ ସିଜିନ ପାଇଁ ୧୬ ବର୍ଷରୁ କମ ବିନୁ ମଙ୍କଡ ଟ୍ରଫି ଖେଳିବା ପାଇଁ ମନୋନିତ ହୋଇଥିଲେ । ଦଶମ ଷ୍ଟାଣ୍ଡାର୍ଡରୁ କ୍ରିକେଟ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ପରେ ପରବର୍ତ୍ତି ସମୟରେ କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହ ବଢ଼ିଯାଇଥିଲା । ବିଭିନ୍ନ କ୍ଳବ ସ୍ତରୀୟ ମ୍ୟାଚରେ ସଫଳ ହୋଇ ଚାଲିବା ଭିତରେ ୧୯ ବର୍ଷରୁ କମ ସିକେ ନାଇଡୁ ଟ୍ରଫି କୁଚ ବିହାର ଟ୍ରଫି ଓ ପୂର୍ବାଞ୍ଚଳ ଦଳରେ ସାମିଲ ହେଲେ ।

ଏହା ପରେ ଆରମ୍ଭ କଲେ ରଣଜୀ ଜୀବନ । ୧୯୯୯-୨୦୦୦ ସିଜିନରେ ୧୮ ବର୍ଷ ବୟସରେ ପ୍ରଥମ ରଣଜୀ ମ୍ୟାଚ ଖେଳି ହାସଲ କରିଥିଲେ ମୂଲ୍ୟବାନ ଅର୍ଦ୍ଧ ଶତକ । ପରେ ବେଙ୍ଗଲ ବିରୁଦ୍ଧରେ ପ୍ରଥମ ରଣଜୀ ଶତକ ମାରିବା ସହିତ ଆଗକୁ ଆଗ ପାଦ ବଢ଼ାଇ ଚାଲି ଥିଲେ । ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ବଢ଼ି ଚାଲି ଥିବା ବେଳେ ପ୍ରଥମ ଥର ପାଇଁ ଭାରତୀୟ -ଏ ଦଳରେ ସାମିଲ ହୋଇ ଜିମ୍ବାୱେ ଓ କେନିୟା ଗସ୍ତରେ ଯିବା ସୁଯୋଗ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର । ସେତେବେଳେ ଦିନେଶ କାର୍ତ୍ତିକ ଓ ପାର୍ଥିବ ପଟେଲଙ୍କୁ ଅତିକ୍ରମ କରି ବାଂଲାଦେଶ ବିପକ୍ଷ ସିରିଜ ପାଇଁ ସୁଯୋଗ ପାଇଥିଲେ । ପ୍ରଥମ ମ୍ୟାଚରେ ଖାତା ଖୋଲି ପାରି ନ ଥିଲେ ହେଁ ସିରିଜରେ ଭଲ ଆଭରେଜ୍ ଯୋଗୁଁ ପରବର୍ତ୍ତି ପାକିସ୍ତାନ ବିପକ୍ଷ ସିରିଜ ପାଇଁ ସୁଯୋଗ ମିଳିଲା । ଏହା ପରେ ଆଉ ପଛକୁ ଫେରି ନାହାନ୍ତି । ଦିନିକିଆ ସଫଳତା ପରେ ଟେଷ୍ଟ କ୍ରିକେଟରେ ମଧ୍ୟ ପ୍ରତିଷ୍ଠା କଲେ ଏକାଧିକ ରେକର୍ଡ । ସବୁଠାରୁ ଚର୍ଚ୍ଚିତ ଥିଲା ଅଷ୍ଟ୍ରେଲିଆ ବିପକ୍ଷ ୨୦୧ବ୍ମସିହାର ଟେଷ୍ଟ ସିରିଜ ।

ଦୀର୍ଘ ୪୦ ବର୍ଷ ପରେ ଭାରତ ଧୋନିଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆକୁ ଉକ୍ତ ସିରିଜର ସବୁ ମ୍ୟାଚରେ ପରାସ୍ତ କରିବାରେ ସଫଳ ହୋଇ ଥିଲା । ଧୋନିଙ୍କ ନେତୃତ୍ୱରେ ଭାରତ ସବୁଠାରୁ ଅଧିକ ସଂଖ୍ୟକ ଦିନିକିଆ ଓ ଟି-୨୦ ମ୍ୟାଚ ଜିଣିଛି । ସେହିପରି ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦୮ ଓ ୨୦୦୯ରେ ଦୁଇଥର ଆଇସିସି ଦିନିକିଆ ପ୍ଳେୟାର ଅଫ ଦି ଇୟର ପୁରସ୍କାର ପାଇଛନ୍ତି । ଏହା ବ୍ୟତିତ କପିଳ ଦେବଙ୍କ ପରେ ଦ୍ୱିତୀୟ କ୍ରିକେଟର ଭାବେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ହାସଲ କରିଥିବା ବେଳେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ନୂଆ ରେକର୍ଡ ସହିତ ଆଠ ଥର ବିଶେଷ ଏକାଦଶ ଦଳରେ ସ୍ଥାନିତ ହୋଇ ଥିବା ବେଳେ ୨୦୦୯, ୨୦୧୦ ଓ ୨୦୧୩ ରେ ଆଇସିସି ବିଶ୍ୱ ଏକାଦଶ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି ।

ଜୀବନରେ ସବୁ ଆଶା ଓ ଅଭିଳାସ ପୂରଣ କରିବା ପରେ ଟେଷ୍ଟ, ଦିନିକିଆ ଅଧିନାୟକତ୍ୱରୁ ଓହରି ଯାଇଥିଲେ । ଗତ ବର୍ଷ ବିଶ୍ୱକପ ପରଠାରୁ ଦଳଠାରୁ ଦୂରେଇ ରହିଥିଲେ । ତେଣୁ ତାଙ୍କର ଭବିଷ୍ୟତ କ୍ରିକେଟ ଜୀବନ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଆଉ ଏକ ବିଶ୍ୱକପ ଖେଳିବା ଆଶା ରଖି ଥିଲେ ହେଁ ଏହି ସ୍ୱପ୍ନ ପୂରଣ ହୋଇ ପାରିଲା ନହିଁ । ଧୋନି ୯୦ ଟେଷ୍ଟ ଖେଳି ୬ ଶତକ ଓ ୩୩ ଅର୍ଦ୍ଧଶତକ ସହ ୪ ହଜାର ୮୭୬ ରନ ଓ ୩୫୦ ଦିନିକିଆରେ ୧୦ ଶତକ , ୭୩ ଅର୍ଦ୍ଧଶତକ ସହ ୧୦ ହଜାର ୭୭୩ ରନ କରିଛନ୍ତି । ସେହିପରି ୯୮ ଟି-୨୦ ମ୍ୟାଚ ଖେଳି ଦୁଇ ଅର୍ଦ୍ଧ ଶତକ ସହ ୧୬୧୭ ରନ କରିଛନ୍ତି । ଟେଷ୍ଟ କ୍ରିକେଟରେ୨୫୬ କ୍ୟାଚ, ୩୮ ଷ୍ଟମ୍ପିଂ , ଦିନିକିଆରେ ୩୨୧ କ୍ୟାଚ , ୧୨୩ ଷ୍ଟମ୍ପିଂ ଏବଂ ଟି-୨୦ ଫର୍ମାଟରେ ୫୭ କ୍ୟାଚ ଓ ୩୪ ଷ୍ଟମ୍ପିଂ କରିଥିଲେ । ଧୋନିଙ୍କ ରେକର୍ଡ ପରବର୍ତ୍ତୀ ପିଢ଼ି କ୍ରିକେଟ୍‌ର ଅତିକ୍ରମ କରିବା ନିଶ୍ଚିତ କଷ୍ଟକର ।

ନିକଟରେ ୩୯ ତମ ଜନ୍ମଦିବସ ପାଳନ କରିବା ଅବସରରେ ଦେଶ ବିଦେଶର ବହୁ କ୍ରିକେଟର ତାଙ୍କ ଭବିଷ୍ୟତ କ୍ୟାରିୟର୍ ଦୀର୍ଘ ଶୁଭ କାମନା କରିଥିଲେ । ମାତ୍ର ଆଉ ଅଧିକ ଦୂର ଯିବା ସୁଯୋଗ ମିଳିଲାନି । ଧୋନି ହେଉଛନ୍ତି ତୃତୀୟ ସଫଳ ୱିକେଟ୍ କିପର । ୱିକେଟ୍ କିପିଂ ରେକର୍ଡର ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମାର୍କ ବୁଚର୍ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ । ଏହି ଦୁଇଜଣ ଯଥାକ୍ରମେ ୯୯୮ ଏବଂ ୯୦୫ ଖେଳାଳିଙ୍କୁ ଆଉଟ କରିଛନ୍ତି । ଧୋନି ଦିନିକିଆରେ ମୋଟ ୨୧୭ ଛକା ମାରି ଚତୁର୍ଥ ସ୍ଥାନରେ ଅଛନ୍ତି । ସେହିପରି ଅଧିନାୟକ ଭାବରେ ମଧ୍ୟ ସର୍ବାଧିକ ଛକା ମାରିଛନ୍ତି । ଆଫ୍ରୋ ଏସୀୟ କପରେ ମାହେଲା ଜୟବର୍ଦ୍ଧନେଙ୍କ ସହ ୨୧୮ ରନ୍ ସହଭାଗୀଦାରିତା ହେଉଛି ସର୍ବ ବୃହତ ବିଶ୍ୱ ରେକର୍ଡ ।

ସେହିପରି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଦ୍ୱିତୀୟ ସଫଳ ଅଧିନାୟକ ହେଉଛନ୍ତି ମାହି । ଚେନ୍ନାଇ ସୁପର୍ କିଙ୍ଗସକୁ ତିନିଥର ଟାଇଟଲ୍ ବିଜୟୀ କରାଇବା ଦିଗରେ ସଫଳ ହୋଇଛନ୍ତି ସେ । ଚଳିତ ବର୍ଷ ମଧ୍ୟ ଏହି ଫ୍ରାଞ୍ଚାଇଜ୍‌ର ନେତୃତ୍ୱ ନେବେ ମାହି । ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ହେଁ , ଆଇପିଏଲ୍‌ରେ ପୁଣି ତାଙ୍କ କମାଲ୍ ଦେଖିବା ପାଇଁ ସମସ୍ତଙ୍କର ଅପେକ୍ଷା । ଅବସର ନେବା ପରବର୍ତ୍ତୀ ମୂହୃର୍ତ୍ତରେ ଦେଶ ବିଦେଶର ଅଗଣିତ କ୍ରିକେଟ୍ ପ୍ରେମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳ ଓ ଚେନ୍ନାଇ ସୁପର କିଙ୍ଗସକୁ ନେତୃତ୍ୱ ଦେବାରେ ତାଙ୍କର ଦକ୍ଷତାକୁ ସମଗ୍ର ବିଶ୍ୱ ଭୁୟସୀ ପ୍ରଶଂସା କରୁଛନ୍ତି । ସବୁଠାରୁ ମଜାର କଥା ହେଲା ଯେ ଆନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭର ପ୍ରଥମ ମ୍ୟାଚରେ ରନ ଆଉଟ ହୋଇ ଥିବା ବେଳେ ଶେଷ ମ୍ୟାଚରେ ମଧ୍ୟ ରନ ଆଉଟ ହୋଇଥିଲେ । ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲରେ ରନ ଆଉଟ ହେବା ସହ ଦୀର୍ଘ ୧୫ ବର୍ଷ କ୍ରିକେଟ ଜୀବନର ପରି ସମାପ୍ତି ହୋଇ ଯାଇଥିଲା ।

 

ଭାରତୀୟ କ୍ରିକେଟ୍ ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଜଣେ ସଫଳ ତଥା ଶାନ୍ତ ଅଧିନାୟକ ଭାବେ ଜଣାଶୁଣା ଥିବା ବେଳେ, ଏହି ପ୍ରକାର ମାନସିକତା ଓ ମାନବିକତା ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିବ । କୋହଲିଙ୍କ ଠାରୁ ଆରମ୍ଭ କରି ଅନେକ ଯୁବ କ୍ରିକେଟ୍ ପ୍ରତିଭା ମାନଙ୍କୁ ଉପଯୁକ୍ତ ଦିଗ୍ ଦର୍ଶନ ଦେବା କ୍ଷେତ୍ରରେ ତାଙ୍କର ଭୁମିକା ମଧ୍ୟ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି । ତେଣୁ ସବୁ କ୍ଷେତ୍ରରେ କୀର୍ତ୍ତିମାନ ପ୍ରତିଷ୍ଠା କରି ଏକ ନୂଆ ଛାପ ଛାଡି ଯାଇଛନ୍ତି ମାହି । ଆଗାମୀ ଦିନରେ ତାଙ୍କ ପରି ଜଣେ ପ୍ରତିଭା ସମ୍ପନ୍ନ କ୍ରିକେଟ୍‌ର ସୃଷ୍ଟି ହେବା କଷ୍ଟକର । ତେବେ ତାଙ୍କର ଉତ୍ସର୍ଗୀକୃତ ଓ ତ୍ୟାଗ ଏବଂ ନିଷ୍ଠାପର ପ୍ରଦର୍ଶନ ଆଗାମୀ ପିଢ଼ିର କ୍ରିକେଟ୍‌ରଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ।

Get real time updates directly on you device, subscribe now.