fbpx

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଲୋକସେବା ଭବନରୁ ହଟିଲେ ଭିନିଲ କୃଷ୍ଣା ଓ ଜି. ମାଥିଭାତନନ

ଭୁବନେଶ୍ୱର: ବୁଧବାର ମୋହନ ମାଝୀ ସରକାରରେ ପ୍ରଥମ ଥର ପାଇଁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ପୂର୍ବତନ ସରକାରଙ୍କ କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କୁ ବଡ଼ ଝଟକା ଲାଗିଛି । ତେବେ ବୁଧବାର ବିଳମ୍ବିତ ରାତି ଅର୍ଥାତ ଜୁଲାଇ ୧୦ରେ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳ ବଦଳକୁ ନେଇ ଚର୍ଚ୍ଚା ଜାରି ରହିଛି । ଆଇଏଏସ୍ ସ୍ତରରେ ହୋଇଥିବା ଅଦଳ ବଦଳକୁ ନେଇ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ ୨୦୦୫ ବ୍ୟାଚର ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି କରାଯାଇଛି । ତାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ତାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭାଗର ସଚିବ ଦାୟିତ୍ୱ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚର ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୧୯୯୫ ବ୍ୟାଚର ଆଇଏଏସ୍‌ ଇଡକୋର ଚେୟାରମ୍ୟାନ ପଦରୁ ହେମନ୍ତ ଶର୍ମାଙ୍କୁ ହଟାଯାଇଛି ।  ସେ ଏମଏସଏମଇ ବିଭାଗରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ୧୯୯୩ ବ୍ୟାଚର ଆଇଏଏସ୍‌ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ୱ ମିଳିଛି। ୧୯୯୪ ବ୍ୟାଚର ଆଇଏଏସ୍‌ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀରେ ନିଯୁକ୍ତି ମିଳିଛି। ସେହିପରି ୧୯୯୬ ବ୍ୟାଚର ଆଇଏଏସ୍‌ ତଥା OSSSCର ଅଧ୍ୟକ୍ଷ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍‌ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବ ସରକାରରେ ବେଶ କ୍ଷମତାଶାଳୀ ଆଇଏଏସ ଥିବା ଜି ମାଥିଭାଥନନ ଓ ଭିନିଲ କ୍ରିଷ୍ଣାଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି । ଉଭୟ ପୂର୍ବ ସରକାରର ଗୁଡବୁକରେ ରହି ଆସୁିଥିଲେ କିନ୍ତୁ ନୂଆ ସରକାରରେ ଏହି ପାୱାରଫୁଲ ଅଧିକାରୀଙ୍କ ପ୍ରଭାବକୁ ହ୍ରାସ କରାଯାଇଥିବା କୁହାଯାଉଛି । ଏପରିକି ଆଗକୁ ଆହୁରି ମଧ୍ୟ ବଡ ଧରଣର ଅଦଳବଦଲ ହେବ ବୋଲି ଚର୍ଚ୍ଚା ହେଉଛି । ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍‌ଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

 

Get real time updates directly on you device, subscribe now.