fbpx

ବିଜେପି ବିପକ୍ଷରେ ବିରୋଧୀଙ୍କୁ ଏକଜୁଟ୍ କରିବେ ନା ‘ଏକଲା ଚଲୋ’ ନୀତିରେ ଚାଲିବେ ଦିଦି

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି । ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ଦିନ ରାତି ଏକ କରିଦେଇଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଫାଇଟକୁ ସେମିଫାଇନାଲ ଭାବେ ଗ୍ରହଣ କରାଯାଉଛି । ତେବେ ଆଗାମୀ ଦିନରେ ବିଜେପିର ଶୀର୍ଷନେତା ତଥା ନରେନ୍ଦ୍ର ମୋଦିଙ୍କୁ କିଏ ଟକ୍କର ଦେଇ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ମୋଦିଙ୍କ ବିରୋଧୀ ନେତା ଭାବେ ସର୍ବାଗ୍ରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ବିରୋଧୀ ମହାମେଣ୍ଟର ନେତୃତ୍ୱ ପାଇଁ ମମତାଙ୍କୁ ୧୭ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ଏହି ରେସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧୬ ପ୍ରତିଶତ, କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧିଙ୍କୁ ୧୧ ପ୍ରତଶତ ଲୋକ ପସନ୍ଦ କରୁଛନ୍ତି । ଏଭଳି ସ୍ଥିତିରେ ଆଗକୁ ବିରୋଧୀ ଗୋଷ୍ଠୀଙ୍କୁ ମମତା ଏକଜୁଟ୍ କରିପାରିଲେ ମୋଦିଙ୍କୁ ରୋକିବା ହୁଏତ ସମ୍ଭବ ହୋଇପାରନ୍ତା । ମମତା କ’ଣ ଏହି କାର୍ଯ୍ୟରେ ସଫଳ ହୋଇପାରିବେ, ତାହାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ପୂର୍ବରୁ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଏନେଇ ଆଲୋଚନା କରିଥିବା ବେଳେ ତାହା ବିଫଳ ହୋଇଥିଲା ।

ଯାହା ଜଣାପଡ଼ୁଛି, କଂଗ୍ରେସ କେବେ ବି ମମତାଙ୍କୁ ମୁଖ୍ୟ ଭାବେ ଗ୍ରହଣ କରିବ ନାହିଁ । ଯଦି ବିପକ୍ଷ ଦଳମାନେ ପରସ୍ପର ମଧ୍ୟରେ ଏଭଳି କଳହରେ ଲିପ୍ତ ରୁହନ୍ତି, ତେବେ ଫାଇଦା ମିଳିବ ବିଜେପିକୁ । ବର୍ତ୍ତମାନ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଥିଲେ ହେଁ ସମଗ୍ର ଦେଶରେ ଏହି ଦଳର କାଟତି ରହିଛି । ମାତ୍ର ଦିଦିଙ୍କ ଟିଏମସି ଏବେ ମାତ୍ର ହାତ ଗଣତି କେତୋଟି ରାଜ୍ୟରେ ଦୋକାନ ଖୋଲିଛି । ଦେଖାଯାଉ ଏଇ ସୀମିତ ସମୟ ମଧ୍ୟରେ ଦିଦି ବିରୋଧୀଙ୍କୁ ଏକତ୍ରିତ କରି ମୋଦିଙ୍କୁ ରୋକିବାରେ କେତେଦୂର ସଫଳ ହେଉଛନ୍ତି ।

Get real time updates directly on you device, subscribe now.