fbpx

ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା, ଦୁଇଗୁଣ ହେଲା ‘ମମତା’ ସହାୟତା

ଓଡ଼ିଶା ଭାସ୍କର: ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । ଯାହା ଆଜି ବେଶ ଲୋକପ୍ରିୟ ଯୋଜନା ଭାବେ ପରିଚିତ ଥିବା ବେଳେ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ମଧ୍ୟ ଗ୍ରହଣ କରାଯାଇଛି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ୟ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ଉପକୃତ ହେଉଛନ୍ତି। ତେବେ ଏହି ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଏହି ନିଷ୍ପତି ଅନୁସାରେ ବର୍ତ୍ତମାନ ସମସ୍ତ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ। ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । କିନ୍ତୁ ଏହାକୁ ସରକାର ବୃଦ୍ଧି କରି ଦୁଇଗୁଣ କରିଛନ୍ତି। ଗତ ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ।

ସୂଚନା ଅନୁଯାୟୀ, ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି। ୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ । ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମାଆଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲଫଲାଇନକୁ କଲ୍‌ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

 

Get real time updates directly on you device, subscribe now.