fbpx

ଚଳନ୍ତା ବିମାନରୁ ଡେଇଁ ପଡିଲେ ଯୁବକ, ଉଡାଣ ଠପ୍

ନୂଆଦିଲ୍ଲୀ: ଲସ୍‌ ‌ଏଞ୍ଜେଲସ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଚଳନ୍ତା ବିମାନରୁ ଡେଇଁ ପଡିଲେ ଯୁବକ । ଉକ୍ତ ଯୁବକ ଜଣକ କକ୍‌ପିଟ୍‌ ମଧ୍ୟକୁ ପ୍ରବେଶ କରିଥିଲେ, କିନ୍ତୁ ତା’ପରେ କୌଣସି ମତେ ସର୍ଭିସ୍ ଡୋର୍‌ ଖୋଲି ପକାଇ ଏମର୍ଜେନ୍ସି ସ୍ଲାଇଡ୍‌ ବାଟେ ରାସ୍ତା ଉପରକୁ ଡେଇଁ ପଡ଼ିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟ କରିଛି । ତେବେ ନେବେ ତାଙ୍କୁ ଧରାଯାଇ ହାଜତକୁ ନିଆଯିବା ପରେ ସେଠାରୁ ଡାକ୍ତରଖାନାକୁ ନିଆଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ଟ୍ୟାକ୍ସିୱେ ବାଟେ ତାଙ୍କୁ ତୁରନ୍ତ ଧରି ହାଜତକୁ ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଉପଚାର କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଶୁକ୍ରବାର ରାତିରେ ୟୁନାଇଟେଡ୍‌ ଏକ୍ସପ୍ରେସ୍‌ ଫ୍ଲାଇଟ୍‌ ନମ୍ବର ୫୩୬୫ ଲସ୍‌ଏଞ୍ଜେଲସ୍‌ରୁ ସଲ୍ଟ ଲେକ୍‌ ସିଟି ଅଭିମୁଖେ ବାହାରିଥିଲା । ବିମାନଟିକୁ ପାଇଲଟ୍‌ ରନୱେ ଉପରକୁ ନେଉଥିଲେ । ସେତେବେଳେ ଏହି ଘଟଣା ଘଟିଥିଲା । ଏହା ପରେ ଏୟାରପୋର୍ଟ ପ୍ରଶାସନ ତାକୁ ଗିରଫ କରିଥିଲା । ଯାତ୍ରୀଜଣଙ୍କର ଏତାଦୃଶ କାଣ୍ଡ ଯୋଗୁଁ ତିନି ଘଣ୍ଟା ପରେ ମଧ୍ୟ ବିମାନଟି ଉଡ଼ାଣ ଆରମ୍ଭ କରି ପାରି ନ ଥିଲା। ପରେ ସେ ଆହତ ହୋଇଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଙ୍ଗାମା ପରେ ବିମାନ ଉଡ଼ାଣ ବାତିଲ କରାଯାଇଛି ।

ଏହି ଘଟଣାର ତଦନ୍ତ ଦାୟିତ୍ବ ‘ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ ଉପରେ ନ୍ୟସ୍ତ କରାଯାଇଛି । କାରଣ ଲସ୍‌ଏଞ୍ଜେଲସ୍‌ ଏୟାରପୋର୍ଟରେ ଲଗାତର ଦୁଇ ଦିନ ଏଭଳି ଘଟଣା ଦେଖିବାକୁ ମିଳିଛି । ‘ଦି ଫେଡେରାଲ୍‌ ଆଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍‌’ କହିବା ଅନୁସାରେ, ବିମାନ ଆରୋହଣ କରିଥିବା ଅନ୍ୟ କୌଣସି ବ୍ୟକ୍ତି ଏଥିରେ ଆହତ ହୋଇ ନାହାନ୍ତି ।

Get real time updates directly on you device, subscribe now.