fbpx

ମୁଁ କଳା ହେଲି ବୋଲି ବାପା ବୋଉର ତଣ୍ଟି ଚିପି ମାରିଦେଲା…

ଉମରକୋଟ(ଭାସ୍କର ନ୍ୟୁଜ୍): ମୁଁ କଳା ହେଲି ବୋଲି ବାପା ବୋଉର ତଣ୍ଟି ଚିପି ମାରିଦେଲା । ମୋ ମା’ର ହତ୍ୟାକାରୀ ବାପା । ପୋଲିସ ଆଗରେ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛି ଅଢ଼େଇ ବର୍ଷର ଝିଅ । ସେ କହିଛି ମୋ ମା’ର ହତ୍ୟାକୁ ମୁଁ ଆଖି ଆଗରେ ଦେଖିଛି । ଏପରି ଏକ ଜଘନ୍ୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଝିଅ କଳା ବର୍ଣ୍ଣର ହୋଇଥିବାରୁ ଶାଶୁ ଘର ପକ୍ଷରୁ ବୋହୂକୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା । ଏନେଇ ପୀଡ଼ିତାଙ୍କ ପରିବାର ବାରମ୍ବାର ପୂର୍ବରୁ ଅଭିଯୋଗ କରିଆସୁଥିବାବେଳେ ଶେଷରେ ହତ୍ୟାକାରୀ ସାଜିଲା ସ୍ୱାମୀ । ଘଟାଇଲା ନାରକୀୟ କାଣ୍ଡ ।

ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ କାରାଗାଁର ଲିପିକା ମଣ୍ଡଳ ସିଲାଟ ଗାଁର ମାଣିକ ଘୋଷଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ମାଣିକ ଆନ୍ଧ୍ରରକାକିନଡ଼ାରେ ଚାକିରି କରୁଛନ୍ତି । ତେବେ ଲିପିକା ଏକ ଝିଅ ଜନ୍ମ ଦେବା ଏବଂ ସେହି ଝିଅ କଳାବର୍ଣ୍ଣର ହେବାରୁ ସ୍ୱାମୀ ଓ ଶାଶୁଘର ପକ୍ଷରୁ ଲିପିକାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା । ଏନେଇ ଲିପିକାଙ୍କ ବାପଘର ଲୋକେ ବାରମ୍ବାର ବୁଝାଶୁଝା କରିବା ସହ ଗ୍ରାମରେ ବୈଠକ କରି ସମାଧାନ କରିଥିଲେ ମଧ୍ୟ ନିର୍ଯାତନା କମିନଥିଲା । ଏନେଇ ଲିପିକା ଗତ ମଇ ମାସରେ ଉମରକୋଟ ଥାନାରେ ଏତଲା ଦେଇଥିଲେ । ଏହାପରେ ଜୁନ୍ ମାସରେ ମାଣିକ ପତ୍ନୀ ଲିପିକା ଓ ଅଢେଇ ବର୍ଷର ଝିଅ ମାହିକୁ ନେଇ କାକିନଡ଼ା ଯାଇଥିଲେ । କିନ୍ତୁ ସେଠାରେ ଲିପିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । କାକିନଡ଼ା ପୋଲିସ ଏକ ମାମଲା ରୁଜୁ କରି ମାଣିକକୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରିଥିଲା । ତେବେ ପଚରାଉଚୁରା ସମୟରେ ମାହି କହିଥିଲା ଯେ, ମୋ ମା’କୁ ବାପା ତଣ୍ଟିଚିପି ହତ୍ୟା କରିଛନ୍ତି ଯାହାକୁ କି ମୁଁ ନିଜ ଆଖିରେ ଦେଖିଛି ।

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଲିପିକାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଲିପିକାଙ୍କ ବାପା ତପନ ମଣ୍ଡଳ ମୃତଦେହ ଆଣି ଗାଁରେ ପହଞ୍ôଚବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଝିଅର ବୟାନକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଯେଉଁ କାରଣ ପାଇଁ ବାପା ଏପରି ଏକ କାଣ୍ଡ ଘଟାଇଲା ତାହା ଏକ କୁସଂସ୍କାର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଝିଅ ଜନ୍ମ ହୋଇସାରିବା ପରେ ତାକୁ କଳା କହି ମା’କୁ ମାରିଦେବା ଜଣେ ଜହ୍ଲାଦ ଓ ଅବିବେକିର କାମ ବୋଲି ସ୍ଥାନୀୟ ଲୋକେ ଦୃଢ଼ ନିନ୍ଦା କରୁଛନ୍ତି ।

ଏସବୁ ଭିତରେ ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଚାର୍ଜସିଟ୍ ତଥା ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେତେ ପରିମାଣର ସହାୟକ ହେବ ତାହା ବିଚାର ପ୍ରକ୍ରିୟା ସମାପ୍ତ ହେବା ପରେ ଜଣାପଡ଼ିବ । ଅନ୍ୟପକ୍ଷରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଆଲୋଡ଼ନ ସୃଷ୍ଟି କରିଛି । ଯଦି ଜଣେ ସ୍ୱାମୀ ଏଭଳି ଏକ ସାମାନ୍ୟ କାରଣ ପାଇଁ ପତ୍ନୀ ହତ୍ୟା କରିପାରୁଛି ତେବେ ତାକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଆବଶ୍ୟକ।

Get real time updates directly on you device, subscribe now.