ହାଏରେ ମୋବାଇଲ ନିଶା…୧୦୦ ଦିନ ପରେ ପରିବାରକୁ ଭେଟିଲେ, ପାଗଳ ହୋଇ ରେଳଷ୍ଟସନରେ ବୁଲୁଥିଲେ ଯୁବକ
ମୋବାଇଲ ଗେମିଂ ପାଇଁ ବିଗିଡ଼ିଲା ଯୁବକଙ୍କ ମାନସିକ ସ୍ଥିତି । ପାଗଳ ହୋଇ ରେଳଷ୍ଟେସନରେ ବୁଲୁଥିଲେ । ଶହେ ଦିନ ପରେ ପରିବାରକୁ ଭେଟିଲେ ।
ଗାନ୍ଧୀନଗର: ଗୁଜରାଟର ଗିର ସୋମନାଥର ଭେରାଭଲ ସ୍ଥିତ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ଏଠି ସେଠି ବୁଲୁଥିବାର ଦେଖିବାକୁ ମିଳିଥିଲା ।
ବେଶ ପୋଷକରୁ ସମସ୍ତେ ତାଙ୍କୁ ଭିକାରି ଭାବୁଥିଲେ । ଉକ୍ତ ବ୍ୟକ୍ତିଙ୍କ ଉପରେ ଦୟା ଦେଖାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । କିନ୍ତୁ ତାଙ୍କ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ଘଟଣା କଣ: ଏହି ଯୁବକ ଜଣକ ଗୁଜରାଟର ମୋର୍ବି ଜିଲ୍ଲାର ବାସିନ୍ଦା । ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ମଧ୍ୟ ସେଠାରେ ଅଛନ୍ତି ।
ଏହି ବ୍ୟକ୍ତି ମୋବାଇଲ୍ ଗେମ୍ ଖେଳିବାରେ ନିଶାଗ୍ରସ୍ତ ଥିଲେ । ତାଙ୍କର ନିଶା ଏତେ ବିପଜ୍ଜନକ ସ୍ତରକୁ ପହଞ୍ଚିଗଲା ଯେ ସେ ମାନସିକ ରୋଗୀ ପାଲଟିଗଲେ ।
ଏହି ମାନସିକ ରୋଗୀ ଯୁବକ ତିନି ମାସ ପୂର୍ବେ ଏକ ଟ୍ରେନରେ ଚଢ଼ିଥିଲେ ଏବଂ ତା’ପରେ ସେ ସୋମନାଥର ଶେଷ ଷ୍ଟେସନ, ଭେରାଭଲରେ ପହଞ୍ଚିଥିଲେ ।
ଖୋଜିବାକୁ ଚେଷ୍ଟା: ରେଳ ଷ୍ଟେସନରେ କିଛି ଦିନ ଧରି ଯୁବକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ଅସହାୟ ଭାବି ନିକଟସ୍ଥ ଆଶ୍ରମକୁ ପଠାଇ ଦେଇଥିଲେ ।
ଅନ୍ୟପକ୍ଷରେ ଏ ବିଷୟରେ ପରିବାର ଲୋକ କିଛି ଜାଣି ନଥିଲେ । ଯୁବକଙ୍କ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ ପରିବାର ଲୋକେ କିନ୍ତୁ ତାଙ୍କ ବିଷୟରେ କୌଣସି ସୂଚନା ମିଳିପାରିନଥିଲା ।
ପରିବାର ସହ ଭେଟିଲେ: ଆଶ୍ରମରେ କିଛି ଦିନ ଏକ ଶାନ୍ତ ପରିବେଶରେ ଏବଂ ମୋବାଇଲ୍ ଗେମିଂରୁ ଦୂରେଇ ରହିବା ଦ୍ୱାରା ଯୁବକଙ୍କ ମାନସିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଥିଲା । ପରେ ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ପରିଚୟ ଖୋଜି ପାଇ ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ ।
ଶେଷରେ, ପ୍ରାୟ ୧୦୦ ଦିନ ପରେ ଯୁବକ ଜଣଙ୍କ ପୁଣି ଥରେ ତାଙ୍କ ପରିବାରକୁ ଭେଟିପାରିଲେ ।
ତେବେ ଦେଖିଲେ ତ ମୋବାଇଲ୍ ଗେମିଂ ନିଶା କେତେ ବିପଜ୍ଜନକ ହୋଇପାରେ । ଏହି ଘଟଣା ସ୍ପଷ୍ଟ କରୁଛି ଏ ନେଇ ପରିବାର ଏବଂ ସମାଜ ସତର୍କ ରହିବା ଉଚିତ । ଯେତେଦୂର ସମ୍ଭବ ଜୀବନଶୈଳୀରେ ଡିଜିଟାଲ୍ ଡିଟକ୍ସ ଆପଣାଇବା ଉଚିତ ।