fbpx

ମଦ ଦେବାକୁ ମନା କରିବାରୁ ଦୋକାନରେ ନିଆଁ ଲଗାଇଲା ମଦୁଆ: ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ

ବିଶାଖାପାଟନମ୍‌: ମଦ ନ ଦେବାରୁ ପୁରା ଦୋକାନରେ ନିଆଁ ଲଗାଇଲେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଅନ୍ତର୍ଗତ ମଦୁରୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ତେବେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଶାଖାପାଟନମ୍ ପୋଲିସ।

ପୋଥିନମଲାଇୟା ପାଲମ ଇନ୍ସପେକ୍ଟର ରାମ କୃଷ୍ଣଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁ ନାମକ ଜଣେ ବ୍ୟକ୍ତି ମଦୁରୱାଡା ଅଞ୍ଚଳର ଏକ ମଦ ଦୋକାନକୁ ଆସି ମଦ ପିଇବାକୁ ମାଗିଥିଲେ । କିନ୍ତୁ ଦୋକାନ ବନ୍ଦ କରିବାର ସମୟ ହୋଇଥିବାରୁ ଦୋକାନର କର୍ମଚାରୀମାନେ ତାଙ୍କୁ ମଦ ଦେବାକୁ ମନା କରିଦେଇଥିଲେ। ଫଳରେ ଅଭିଯୁକ୍ତ ଏବଂ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ଚେତାବନୀ ଦିଆଯିବା ପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲେ । ହେଲେ ରବିବାର ସନ୍ଧ୍ୟାରେ ସେ ଏକ ପେଟ୍ରୋଲ ଜାର ନେଇ ଉକ୍ତ ଦୋକାନକୁ ଫେରିଥିଲେ । ଆଉ ଏହା ପରେ ଦୋକାନ ଏବଂ ଭିତରେ ଥିବା କର୍ମଚାରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ଦୋକାନରୁ ବାହାରକୁ ପଳାଇ ଯାଇଥିଲ । କିନ୍ତୁ ଦୋକାନରେ ଥିବା କମ୍ପ୍ୟୁଟର ଏବଂ ପ୍ରିଣ୍ଟର୍ ସମେତ ପ୍ରାୟ ୧.୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ତେବେ ଏଥିରେ କୌଣସି କର୍ମଚାରୀ ଆହତ ହୋଇନଥିବା ସୂଚନା ମିଳିଛି ।

ଆଇପିସିର ଧାରା ୩୦୭ ଏବଂ ୪୩୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଏ ନେଇ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।

Get real time updates directly on you device, subscribe now.