fbpx

କୋର୍ଟରେ ପିତାମାତାଙ୍କୁ ବାଛିଲା ଝିଅ: ଶୁଣାଣି ପରେ ବିଚାରପତିଙ୍କ ଆଗରେ ହାତ କାଟିଦେଲା ବିବାହିତ ପ୍ରେମିକ

ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ଯେତେବେଳେ ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତି ହାଇକୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ତାଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାସ୍ତବରେ ଯେଉଁ ମହିଳାଙ୍କୁ ସେ ତାଙ୍କ ଗର୍ଲଫ୍ରେଣ୍ଡ ବୋଲି ଦାବି କରୁଥିଲେ, ତାଙ୍କ ସମ୍ମତି ପରେ କୋର୍ଟ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ । ମହିଳା ଜଣକ କୋର୍ଟରେ କହିଛନ୍ତି ଯେ, ସେ ତାଙ୍କ ପିତାମାତାଙ୍କ ସହ ଯିବାକୁ ଚାହୁଁଛନ୍ତି ।

ଏହି ମାମଲାଟି କେରଳର ତ୍ରୀସୁର ଜିଲ୍ଲାର ବୋଲି ଜଣାପଡିଛି । ସେଠାରେ ବିଷ୍ଣୁ ନାମକ ଜଣେ ବ୍ୟକ୍ତି ଜଷ୍ଟିସ୍ ଅନୁ ଶିବରାମନଙ୍କ ଚାମ୍ବର ସମ୍ମୁଖରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଷ୍ଣୁ ଏବଂ ୨୩ ବର୍ଷୀୟା ମହିଳା ପ୍ରାୟ ଏକ ମାସ ଏକାଠି ରହୁଥିଲେ । ମହିଳାଙ୍କ ବାପା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସୋମବାର ହାଇକୋର୍ଟରେ ହାଜର ହୋଇ ସେ ତାଙ୍କ ଝିଅକୁ ବେଆଇନ ଭାବେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ ।

ତେବେ ମହିଳା ଜଣକ ଜଷ୍ଟିସ୍ ଅନୁ ଶିବରାମନ୍ ଏବଂ ସି ଜୟଚନ୍ଦ୍ରନଙ୍କ ଏକ ଡିଭିଜନ୍ ବେଞ୍ଚକୁ କହିଛନ୍ତି ଯେ, ସେ ତାଙ୍କ ପରିବାର ସହିତ ଯିବାକୁ ଚାହୁଁଛନ୍ତି । ବାର୍ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସେ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି ଯେ ବନ୍ଧୁତା ବ୍ୟତୀତ ବିଷ୍ଣୁଙ୍କ ପ୍ରତି ତାଙ୍କର ପ୍ରେମ ଭାବନା ନାହିଁ ।

ବିଷ୍ଣୁ ବିବାହିତ :-
ମହିଳା ଜଣକ ଆହୁରି କହିଛନ୍ତି ଯେ, ସେ ତାଙ୍କ ସହିତ ବାଧ୍ୟ ହୋଇ ରହିଥିଲେ । କାରଣ ସେ ଚାଲିଗଲେ ବ୍ୟକ୍ତି ତାଙ୍କ ଜୀବନ ଦେଇଦେବେ ବୋଲି ଧମକ ଦେଇଥିଲେ । କୋର୍ଟରେ ମହିଳାଙ୍କ ନିବେଦନ ଅନୁଯାୟୀ ବିଷ୍ଣୁ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିସାରିଛନ୍ତି ଏବଂ ତାଙ୍କ ପ୍ରେମିକାଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ଅଲଗା ହୋଇସାରିଛନ୍ତି ।

ଶୁଣାଣି ପରେ ବିଷ୍ଣୁ ତାଙ୍କ ପକେଟରୁ ଛୁରୀ ବାହାର କରି ତାଙ୍କ ହାତ କାଟି ଦେଇଥିଲେ । ପୋଲିସ ତାଙ୍କୁ ଅଟକାଇବା ସହ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Get real time updates directly on you device, subscribe now.