ଝିମିଟି ଖେଳରୁ ମହାଭାରତ, ପୋଲିସର ଗୁଳିମାଡରେ ଟଳିପଡିଲେ ଆଉ ଜଣେ ପୋଲିସ

ନୂଆଦିଲ୍ଲୀ: ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ବଚସାରୁ ପୋଲିସକୁ ଗୁଳି ମାରିଲା ପୋଲିସ । ସବ ଇନ୍ସପେକ୍ଚରଙ୍କୁ ଗୁଳି ମାରିଲେ କନଷ୍ଟେବଳ । ଫଳରେ ସବଇନ୍ସପେକ୍ଚରଙ୍କ ମୃତ୍ୟୁ ହୋଇଛି । ମଣିପୁରର ଜିରିବାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତକ ପୋଲିସର ନାମ ଶାହ ଜାହନ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, କନଷ୍ଚେବଳ ବିକ୍ରମଜିତ ସିଂ ଏବଂ ସବ ଇନ୍ସିପେକ୍ଟର ଶାହ ଜାହନଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଠିକ ନଥିଲା । ତେବେ ଆଜି ସକାଳେ ପୁଣି ବଚସା ସାଂଘାତିକ ରୂପ ନେଇଥିଲା । ଜିରିବାମ ଗ୍ରାମର ମୋଙ୍ଗବଙ୍ଗ ଗ୍ରାମରେ ଥିବା ପୋଲିସ ଆଉଚପୋଷ୍ଟ ନିକଟରେ ସବ ଇନ୍ସପେକ୍ଚରଙ୍କ ଉପରକୁ ଗୁଳି ଚଳାଇଦେଇଥିଲେ କନଷ୍ଚେବଳ । ନିଜ ସର୍ଭିସ ରିଭଲଭରରୁ ହିଁ ସେ ଫାୟାରିଂ କରିଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ପୋଲିସ ଆଉଟପୋଷ୍ଟରେ ଏହି କାଣ୍ଡ ହୋଇଥିବା ବେଳେ ଗୁଳିର ଶବ୍ଦ ଶୁଣି ଅନ୍ୟ ପୋଲିସମାନେ ଦୌଡି ଆସିଥିଲେ । ତେବେ ଦେଖିଲା ବେଳକୁ ଘଟଣାସ୍ଥଳରେ ହିଁ ସବ ଇନ୍ସିପେକ୍ଟରଙ୍କ ମୃତ୍ୟୁ ହୋଇଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀ ବିକ୍ରମଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ କନଷ୍ଟେବଳ ରାଗିଗଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।