fbpx

ସର୍ବଭାରତୀୟ ସ୍ତରରେ ଦିଆଯିବ ମନୋଜ ଦାସ ସାହିତ୍ୟ ପୁରସ୍କାର, ବିଜେତାଙ୍କୁ ମିଳିବ ୧୦ ଲକ୍ଷ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସ ମୃତ୍ୟୁ ପରେ ପୁଣି ଥରେ ଚମକିବେ । ତାଙ୍କର କୃତୀ ପର ତାଙ୍କ ସ୍ମୃତିରେ ପୁରସ୍କାର ପ୍ରଦାନ କରାଯିବ । କେବଳ ଓଡ଼ିଶା କିମ୍ବା ଓଡ଼ିଆ ସାହିତ୍ୟ ଜଗତ ନୁହେଁ, ସର୍ବଭାରତୀୟ ସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର-୨୦୨୨ ବର୍ଷ ପାଇଁ ଦରଖାସ୍ତ ତଥା ମନୋନୟନ ଆହ୍ୱାନ କରାଯାଇଛି । ଏହି ସମ୍ମାନ ପାଇଁ ଯୋଗ୍ୟ ସାହିତ୍ୟିକଙ୍କୁ ଚୟନ କରାଯିବ । ସେଥିପାଇଁ ଅଭିଜ୍ଞ ତଥା ଇଂରାଜୀ ସାହିତ୍ୟରେ ପାରଦର୍ଶିତା ଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବରିଷ୍ଠ ସାହିତ୍ୟିକଙ୍କୁ ନେଇ ଏକ ୫ ଜଣିଆ ବିଶେଷଜ୍ଞ କମିଟି ବିଭାଗୀୟ ସଚିବଙ୍କ ଆବାହକତ୍ୱରେ ବିଭାଗ ସ୍ଥିର କରିବେ ।

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ଓ ତାମ୍ରଫଳକ ମିଳିବ । ସମ୍ମାନ ପାଇଁ ଯୋଗ୍ୟ ସାହିତ୍ୟିକଙ୍କ ଅତି କମରେ ୧୦ଟି ମୌଳିକ ସଂକଳନ, ପୁସ୍ତକ ଇଂରାଜୀରେ ପ୍ରକାଶ ପାଇଥିବା ଆବଶ୍ୟକ । ଏଥିପାଇଁ ଦରଖାସ୍ତ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଛି । ଗତ ଏପ୍ରିଲ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ନିୟମାବଳୀରେ ପରିବର୍ତ୍ତନ କରାଯାଇଥିଲା ।

Get real time updates directly on you device, subscribe now.