fbpx

ଆସୁଛି ଆଉ ୨ଟି ଲଘୁଚାପ: ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ରବିବାରଠୁ ବଢ଼ିବ ବର୍ଷା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାରି ଭିତରେ ପୁଣି ୨ଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମଟି ଆସନ୍ତା ୭ ତାରିଖରେ ସୃଷ୍ଟି ହେବା ନେଇ ଆକଳନ କରାଯାଉଥିବାବେଳେ ୨ୟଟି ୧୩ରୁ ୧୪ ତାରିଖ ମଧ୍ୟରେ ହେବ ବୋଲି କୁହାଯାଇଛି ।

ସେହିପରି ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ପାଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କିନ୍ତୁ ରବିବାର ଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାରା ଶ୍ରାବଣରେ ବର୍ଷାର ପରିମାଣ ଅଧିକ ରହିବାର ଥିବାବେଳେ କମ୍‌ ବର୍ଷା ହେଉଛି । ଯାହା ଫଳରେ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଆକଳନ ଅନୁଯାୟୀ, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତା ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏଥିପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ମାଲକାନାଗିରି ଓ କୋରାପୁଟ ।

Get real time updates directly on you device, subscribe now.