fbpx

BMC ନିର୍ବାଚନ: ବିଜେଡିରେ ମାଳ ମାଳ ଆଶାୟୀ, ୬୭ଟି ୱାର୍ଡରେ ୨୦୦ରୁ ଅଧିକ ଆଶାୟୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଆରମ୍ଭ ହୋଇଯାଇଛି ଅଙ୍କକଷା । କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ୱାର୍ଡସ୍ତରରୁ ଏବେଠାରୁ ନେତା ଓ କର୍ମୀମାନେ ଲୋକଙ୍କର ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଲେଣି । ତେବେ ୬୭ଟି ୱାର୍ଡ ଲାଗି ଆଶାୟୀଙ୍କ ସଂଖ୍ୟା ୨୦୦ ଟପି ଯାଇଥିବା ଦେଖାଯାଇଛି । ମନ୍ତ୍ରୀ, ବିଧାୟକଙ୍କ ନିକଟରେ ଲବି କରି ଟିକେଟ୍ ହାତେଇବାକୁ ଲାଗି ପଡ଼ିଛନ୍ତି ଦଳର ନେତାମାନେ ।

ଗତ ୨୦୧୪ ବିଏମସି ନିର୍ବାଚନରେ ବିଜେଡି ୪୯ଟିରେ, ବିଜେପି ୪ଟିରେ ଓ କଂଗ୍ରେସ ଦୁଇଟିରେ ସନ୍ତୁଷ୍ଟ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ୱାଧୀନ କର୍ପୋରେଟରମାନେ ବିଜେଡିମୁହାଁ ହୋଇଥିଲେ । ତେବେ ଚଳିତ ଥର ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ । କାରଣ ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ରହିଥିବା ବେଳେ ସାଂସଦ ପଦ ରହିଛି ବିଜେପି ହାତରେ । ତେଣୁ ସମୀକରଣ କିଛିଟା ବଦଳିବ ବୋଲି ଆଶା କରାଯାଉଛି ।

ତେବେ ବିଜେଡିରେ କାହାକୁ ଟିକେଟ୍ ଦିଆଯିବ, କାହାର କଟାଯିବ ତାହାକୁ ନେଇ ଶାସକ ଦଳ ଚିନ୍ତାରେ ପଡ଼ିଯାଇଛି । ଜୁଆଡ଼େ ଦେଖିବ ଖାଲି ମାଳ ମାଳ ଆଶାୟୀ । ଏଭଳି ସ୍ଥିତିରେ ଜଣଙ୍କୁ ଟିକେଟ ଦେଲେ ଅସନ୍ତୁଷ୍ଟମାନେ ନିର୍ବାଚନ ବେଳେ ନିଶ୍ଚିତ ଭାବେ କ୍ଷତି ଘଟାଇବେ । ତେବେ ୬୭ଟି ୱାର୍ଡରୁ ବିଜେଡି ୩୨ଟି ୱାର୍ଡ ପାଇଁ ପ୍ରାର୍ଥୀ ଚୟନ କରିସାରିଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.