fbpx

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଗକୁ ଆସିଲେ ମାଓବାଦୀ: ୫୦ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଗକୁ ଆସିଛନ୍ତି ମାଓବାଦୀ । ମମିତାଙ୍କ ହତ୍ୟାକାରୀକୁ ଦଣ୍ଡ ଦେବା ପାଇଁ ମୁନିଗୁଡ଼ା ବ୍ଲକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଏଥିସହ ହତ୍ୟାକାଣ୍ଡକୁ ଅନେକ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ମମିତାଙ୍କ ପରିବାରଙ୍କୁ ନ୍ୟାୟ ମିଳି ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରାଯାଇଛି ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ବ୍ରିଜ ନିକଟସ୍ଥ ଏକ ଆମ୍ବ ଗଛରେ ଘୁମୁସର ମାଓବାଦୀମାନେ ମାଓ ପୋଷ୍ଟର ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମିତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ସାରା ରାଜ୍ୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିବାଦ କରାଯାଉଥିବା ବେଳେ ମାଓବାଦୀମାନେ ଏହି ଘଟଣାରେ ହସ୍ତକ୍ଷେପ କରିବା ବିରଳ ବୋଲି କୁହାଯାଉଛି । ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବାରୁ ସେଗୁଡ଼ିକୁ ବାହାର କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଷମକଟକ ଏସଡିପିଓ । ତେବେ ମମିତାଙ୍କୁ ନ୍ୟାୟ ଦେବାକୁ ମାଓବାଦୀମାନେ ଆଗକୁ ଆସିଥିବାରୁ ଆଗାମୀ ଦିନରେ ମାଓବାଦୀଙ୍କ ରଣନୀତି କ’ଣ ରହିବ, ତାହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

Get real time updates directly on you device, subscribe now.