fbpx

ଆଜିଠୁ ଦଶମ ଶ୍ରେଣୀ ପ୍ରଥମ ସମେଟିଭ୍‌ ପରୀକ୍ଷ, କଟକଣା ଭିତରେ ପରୀକ୍ଷା ଦେବେ ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ

କଟକ, (ଭାସ୍କର ନ୍ୟୁଜ୍‌): ବୁଧବାର ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା । ଏହି ପରୀକ୍ଷା ୪ ଦିନ ଧରି ଅର୍ଥାତ ଚଳିତ ମାସ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ୩ ଦିନ ୨ଟି ସିଟିଂରେ ଥିଓରୀ ପରୀକ୍ଷା ହେବ । ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ୩ ହଜାର ୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ପ୍ରଶ୍ନପତ୍ର ରଖାଯାଇଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ବୋର୍ଡ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଥିଲା । କରୋନାର ତୃତୀୟ ଲହରର ଆଶଙ୍କା ରହିଥିବାରୁ ସମେ୍ଟିଭ୍‌-୧ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀ ଏହାର ଗୁରୁତ୍ୱକୁ ଉପଲବ୍ଧ କରିଛନ୍ତି । ଏହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢିବ ।

ସେହିପରି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ପରୀକ୍ଷା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷାର ସୁପରିଚାଳନା ପାଇଁ ଡିଇଓଙ୍କ ନେତୃତ୍ୱରେ ସ୍କ୍ୱାର୍ଡ ଗଠନ କରାଯାଇଛି । ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସୁପରଭିଜନ୍‌ରେ ପଠାଇବେ ।

ସୂଚନା ଅନୁଯାୟୀ ସକାଳ ସାଢ଼େ ୮ଟା ବେଳେ ନୋଡାଲ ସେଣ୍ଟରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତିଟି ଶ୍ରେଣୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି । ପରୀକ୍ଷା କେନ୍ଦ୍ରର ସୁପରଟେଣ୍ଡମାନେ ମଧ୍ୟ ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖିଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.