ସାବଧାନ, ଅନଲାଇନ ଟ୍ରେଡିଂ ଜରିଆରେ ହେଉଛି ବଡ଼ ଧରଣର ଠକେଇ
ଅନଲାଇନରେ ଟଙ୍କା ବିନିଯୋଗ କରୁଥିଲେ ସାବଧାନ। ଅନଲାଇନ ଟ୍ରେଡିଂ ଜରିଆରେ ବଡ ବଡ କମ୍ପାନୀ ଠକି ନେଉଛନ୍ତି କୋଟି କୋଟି ଟଙ୍କା।
ସମ୍ୱଲପୁର: କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କ ମୁଣ୍ଡରେ ପସିଛି। ଆଉ ସେଥିପାଇଁ ମୁଖ୍ୟ ପନ୍ଥା ସାଜିଛି ଅନଲାଇନ୍ ଟ୍ରେଡିଂ। ଏହି ଅନଲାଇନରେ ଟ୍ରେଡ଼ିଂ କରି କମ୍ ଟଙ୍କା ଲଗାଇ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବପିଢୀ।
ହେଲେ ଆପଣମାନେ ଜାଣିଛନ୍ତି କି ଏହି ଅନଲାଇନ୍ ଟ୍ରେଡିଂ କମ୍ପାନୀ ଆପଣଙ୍କୁ କେତେବେଳେ ବି ଚୂନ ଲଗେଇଦେଇପାରେ। ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଆପଣଙ୍କୁ କେତେବେଳେ କାଙ୍ଗାଳ କରିଦେଇପାରେ। ଏବେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଅନଲାଇନରେ ଟ୍ରେଡିଂ କରି ବଡ଼ ଧରଣର ଠକେଇର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି।
ଅନଲାଇନ ଟ୍ରେଡିଂ: ଯଦି ଦେଖିବା ଏବେ ସମସ୍ତଙ୍କ ହାତରେ ଫୋନ। ଆଉ ଏହି ଫୋନ ଅନେକଙ୍କୁ ରୋଜଗାରର ବାଟ ଦେଖାଇଛି। ଠିକ୍ ସେହିପରି ଅନଲାଇନରେ ଅଳ୍ପ ଟଙ୍କା ଲଗାଇ ଅଧିକ ଟଙ୍କା ମଧ୍ୟ ରୋଜଗାର କରିହେଉଛି।
ଆଉ ଏହିଭଳି ବିଭିନ୍ନ ଅନଲାଇନ ଟ୍ରେଡିଂ କମ୍ପାନୀର ପ୍ରମୋଟ କରୁଛନ୍ତି ବିଭିନ୍ନ ବଡ ବଡ ୟୁଟ୍ୟୁବର ବା କଳାକାର। ଯାହାଦ୍ୱାରା ଏହି ଅନଲାଇନ୍ ଟ୍ରେଡି଼ଂର ଚାହିଦା ବଢୁଛି। ଆଉ ଲୋକମାନେ ଏଥିରେ ଟଙ୍କା ଲଗାଉଛନ୍ତି।
ଟ୍ରେଡିଂରୁ ଠକେଇ: ହେଲେ ଏବେ ଏହି ଅନଲାଇନ ଟ୍ରେଡିଂ ଜରିଆରେ ଏକ ବଡ ଧରଣର ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏମ୍ସିଏକ୍ସ ସିଟି ନାମକ ଟ୍ରେଡିଂ କମ୍ପାନି ବିରୋଧରେ ବଡ଼ଧରଣର ଠକେଇ ନେଇ ସମ୍ବଲପୁର ଧନୁପାଲି ଥାନାରେ ଅଭିଯୋଗ ହୋଇଛି।
ସମ୍ବଲପୁରର ସନ୍ତୋଷ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଉଚ୍ଚ ସୁଧର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। କେବଳ ସମ୍ବଲପୁର ନୁହେଁ; ସିକିମ, ଛତିଶଗଡ଼, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଏହି କମ୍ପାନି ଜମାକାରୀଙ୍କଠାରୁ ବିପୁଳ ଟଙ୍କା ଠକି ନେଇଥିବା କୁହାଯାଉଛି।
୫୦୦ରୁ ଅଧିକ ବ୍ୟକ୍ତି ଠକେଇର ଶିକାର: ସମ୍ବଲପୁର ରେମେଡ଼ ଅଞ୍ଚଳର ଅନିଲ ପାଢ଼ୀଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ବନ୍ଧୁଙ୍କ ଜରିଆରେ ଏମ୍ସିଏକ୍ସ ସିଟି ବିଷୟରେ ଜାଣିବାକୁ ପାଇଥିଲେ। ଏହି କମ୍ପାନିରେ ଅନ୍ଲାଇନ ଟ୍ରେଡିଂ ପାଇଁ ଟଙ୍କା ଜମା କରାଗଲେ ୨ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ଏବଂ ଜମାଠାରୁ ୩ ଗୁଣ ଅଧିକ ଟଙ୍କା ମିଳିବ ବୋଲି କୁହାଯାଇଥିଲା।
ଏହାକୁ ବିଶ୍ୱାସ କରି ସେ ସନ୍ତୋଷ ଆଚାର୍ଯ୍ୟଙ୍କ ଜରିଆରେ ନିବେଶ କରିବା ଆରମ୍ଭ କରିଥିଲେ। ପ୍ରଥମ କିଛି ଦିନ ଟଙ୍କା ମଧ୍ୟ ମିଳିଥିଲା। କିନ୍ତୁ ପାଖାପାଖି ପ୍ରାୟ ବର୍ଷେ ହେବ ଆଉ କୌଣସି ରିଟର୍ଣ୍ଣ ପାଇନାହାନ୍ତି।
ଘରୋଇ ସଂସ୍ଥାରେ କାମ କରୁଥିବା ଅନିଲ ୬ ଲକ୍ଷ ଟଙ୍କା ନିବେଶ କରିଛନ୍ତି। କେବଳ ସେ ନୁହଁନ୍ତି, ସମ୍ବଲପୁରର ପ୍ରାୟ ୫୦୦ରୁ ଅଧିକ ବ୍ୟକ୍ତି ଏହି ଅନ୍ଲାଇନ୍ ଟ୍ରେଡିଂରେ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ନିବେଶ କରିଛନ୍ତି। ଅଧିକ ଟଙ୍କା ମିଳିବା ଆଶାରେ କିଏ ଜମି ବିକି ତ ଆଉ କିଏ ନିଜ ପେନ୍ସନ୍ ଟଙ୍କା ଅନ୍ଲାଇନ୍ ଟ୍ରେଡିଂରେ ବିନିଯୋଗ କରିଥିଲେ।