ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମ୍ୟାଚ ଫିକ୍ସିଂକୁ ନେଇ ଏକ ବଡ଼ ଖୁଲାସା କରିଛି । ଏନେଇ ଆଇସିସି ୩ ଜଣ ଭାରତୀୟଙ୍କ ସମେତ ୮ ଜଣଙ୍କ ନାମରେ ଅଭିଯୋଗ ଆଣିଛି । ଗତ ୨୦୨୧ ମସିହାରେ ସଂଯୁକ୍ତ ଅରବ ରାଜ୍ୟ (ୟୁଏଇ)ରେ ଟି-୨୦ ଲିଗ୍ ଅନୁଷ୍ଠିତ ହୋଇଥିଲା । ସେହି ଅବସରରେ ଭ୍ରଷ୍ଟାଚାର କାର୍ଯ୍ୟାକଳାପକୁ ନେଇ ଆଇସିସି ଯାଞ୍ଚ କରିବା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।
ତେବେ ପରବର୍ତ୍ତୀ ସମୟରେ ଆଇସିସି ଉକ୍ତ କାର୍ଯ୍ୟକଳାପରେ ସାମିଲ ଥିବା ୮ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲା । କିଛି ଖେଳାଳି, ଅଧିକାରୀ ଓ ଭାରତୀୟ ଟିମ୍ ମାଲିକଙ୍କ ନାମରେ ବିଭିନ୍ନ ଅଭିଯୋଗ ଲାଗିଛି । ଦୁଇ ଭାରତୀୟ ପରାଗ ସଙ୍ଘବୀ ଓ କୃଷ୍ଣ କୁମାରଙ୍କ ନାମରେ ଅଭିଯୋଗ ଆସିଥିବା ବେଳେ ଉଭୟେ ଟିମ୍ ପୁଣେ ଡେଭିଲସର ସହ-ମାଲିକ ଅଟନ୍ତି । ଏଥିସହିତ ସେହି ସିଜିନରେ ସେମାନଙ୍କ ଟିମରେ ଖେଳୁଥିବା ବାଂଲାଦେଶର ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ନାସିର ହୁସେନଙ୍କ ବିରୋଧରେ ମଧ୍ୟ ଭ୍ରଷ୍ଟାଚାର ନିରୋଧୀ ସଂହିତା ଉଲ୍ଲଂଘନ ନେଇ ଅଭିଯୋଗ ଆସିଛି ।
ଭ୍ରଷ୍ଟାଚାର କାର୍ଯ୍ୟକଳାପରେ ସାମିଲ ଥିବା ତୃତୀୟ ଭାରତୀୟ ହେଉଛନ୍ତି ବ୍ୟାଟିଂ କୋଚ ସନ୍ନୀ ଢିଲ୍ଲୋଂ । ଟୁର୍ଣ୍ଣାମେଣ୍ଟ ସମୟରେ ମ୍ୟାଚକୁ ଭ୍ରଷ୍ଟ କରିବାକୁ ଏମାନେ ପ୍ରୟାସ କରିଥିଲେ । ଆଇସିସିର ଉକ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ଇସିବି ଭ୍ରଷ୍ଟାଚାର ବିରୋଧୀ ଅଧିକାରୀ (ଡାକୋ) ନିଯୁକ୍ତ କରିଥିବା ବେଳେ ଇସିବି ପକ୍ଷରୁ ଏହି ଅଭିଯୋଗ ଜାରି କରାଯାଇଛି ।