fbpx

ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା: ୨ ବର୍ଷ ପରେ ଅପ୍‌ଲାଇନ୍ ପରୀକ୍ଷା ଦେବେ ୫ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ, କପି ରୋକିବ ସ୍କ୍ବାର୍ଡ

କଟକ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜିଠୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମହାମାରୀ କରୋନା ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ହେବ ଏହି ପରୀକ୍ଷା ବନ୍ଦ ରହିଥିବାବେଳେ ସଂକ୍ରମଣ କମିବା ପରେ ପ୍ରଥମ ଥର ପାଇଁ ଅଫ୍‌ଲାଇନରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ମାଟ୍ରିକ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା୫ ଲକ୍ଷ ୭୧ ହଜାର ୯୦୯ ହୋଇଥିବାବେଳେ ସେମାନଙ୍କ ପାଇଁ ୩୨୦୩ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି ।

ସେହିପରି ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କୁ ମିଶାଇଲେ ପରୀକ୍ଷାର୍ଥୀ ସଂଖ୍ୟା ୫ ଲକ୍ଷ ୮୫ ହଜାର ୭୩୦ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାଇଁ ୨୩୭ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ପ୍ରଶ୍ନ ପତ୍ର ସୁରକ୍ଷିତ ରଖିବା ପାଇଁ ୩୧୫ଟି ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି । ସେଥିମଧ୍ୟରେ ୨୧ଟି ଥାନା ମଧ୍ୟ ରହିଛି । ପରୀକ୍ଷା ଦିନ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ କେନ୍ଦ୍ରରେ ତଦାରଖ ପାଇଁ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାଡ ନିୟୋଜିତ ହୋଇଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ସେ କହିଛନ୍ତି ପ୍ରଚଣ୍ଡ ଗ୍ରୀଷ୍ମ୍ରବାହକୁ ଆଖିଆଗରେ ରଖି ପ୍ରତ୍ୟେକ କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବହୁସ୍ଥାନରେ ବିଡିଓମାନଙ୍କୁ ନେଇ ସ୍କ୍ୱାଡ ଗଠନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ମଧ୍ୟ ସ୍କ୍ୱାଡ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପୋଲିସ ମଧ୍ୟ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କରୋନା ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଯେପରି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧି ଆସିବେ ସେ ନେଇ ଧ୍ୟାନ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.