fbpx
BSKY
BJD MC SKY
BJD YOUTH SKY

ତାତିରୁ ମିଳିବନି ନିସ୍ତାର: ଆହୁରି ୩ ଦିନ ଲାଗି ରହିବ ହିଟ୍‌ ୱେଭ୍‌,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

୫ ରାଜ୍ୟରେ ଅଗ୍ନି ବର୍ଷିବ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌ ) : ସାରା ଦେଶରେ ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଯାହାକୁ ନେଇ ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି । ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ଝାଞ୍ଜି ପବନ ଲୋକଙ୍କୁ ଅତିଷ୍ଠ କରି ପକାଉଛି । ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ମଧ୍ୟରେ ଓଡ଼ିଶା, ରାଜସ୍ଥାନ, ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।ବୁଧବାର ଦେଶର କେତେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିବା ପରେ ଆଇଏମ୍‌ଡି ପକ୍ଷରୁ ଏହି ସୂଚନା ଦିଆଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍‌.କେ.ଜେନାମଣୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସୂଚନାରେ କୁହାଯାଇଛି ଯେ, ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆହୁରି ୩ ଦିନ ଲାଗି ରହିବ । ଏଥିନେଇ ୧୧ଟି ଜିଲ୍ଲାକୁ ୩୦ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଳାଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ ବଲାଙ୍ଗିର । ଆଭ୍ୟନ୍ତର ଓଡ଼ିଶାରେ ଏହି ୩ ଦିନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏପରିକି ରାଜ୍ୟର ବହୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ତେବେ ଡହଡହ ଖରାରେ ସାରା ଓଡ଼ିଶା ଗତ ୧ ସପ୍ତାହ ହେବ ସିଝୁଥିବାବେଳେ କାଳବୈଶାଖି ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ହିଟ୍‌ୱେଭ୍‌ରେ ବ୍ରେକ୍‌ ଲାଗିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ମଇ ମାସ ପ୍ରଥମ ସପ୍ତାହରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଏପରିକି ଦିନର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ଆଶା କରାଯାଉଛି । ଅନ୍ୟପକ୍ଷରେ ସେ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ । ତେଣୁ ଏ କ୍ଷେତ୍ରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ବୁଧବାର ରାଜ୍ୟର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୧୧ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ତେବେ ସୋନପୁରର ତାପମାତ୍ରା ୪୪,୫ ଡିଗ୍ରୀରେ ପହଞ୍ଚିଥିଲା । ଗୁରୁବାର ଝାରସୁଗୁଡ଼ା ଓ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଥିବା ପାଣିାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ୨୫ଟି ସହର ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବାବେଳେ ୧୩ଟି ସହର ୪୩ ଓ ୮ଟି ସହର ୪୪ ଡିଗ୍ରୀ ସେଲସିୟସ ଉପରେ ଥିବା ପାଣିାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗୀର ଓ ବରଗଡ଼ର ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରହିଥିବାବେଳେ ସମ୍ବଲପୁର ଓ ସୋନପୁରରେ ୪୪, ଝାରସୁଗୁଡ଼ାରେ ୪୪.୪, ତାଳଚେରରେ ୪୩.୫, ଅନୁଗୋଳରେ ୪୪.୩, ସୁନ୍ଦରଗଡ଼ରେ ୪୩, ଦେବଗଡ଼ରେ ୪୪.୫, ହୀରାକୁଦରେ ୪୩.୧, ଟିଟିଲାଗଡ଼ରେ ୪୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ୪୦ ଡିଗ୍ରୀ ରହିଛି ।

Get real time updates directly on you device, subscribe now.