fbpx

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ଘୋଷଣା କଲେ ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଆନୁଷ୍ଠାନିକ ଭାବରେ ମାଟ୍ରିକ ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତ ବର୍ଷ ପରୀକ୍ଷାରେ ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପାସ ହାର ରହିଛି ୯୦.୫୫ ପ୍ରତିଶତ । ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ପାସ ହାର ୮୮.୭୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ରହିଛି ୯୨.୩୭ ପ୍ରତିଶତ ।

ତେବେ ଚଳିତବର୍ଷ ଏ-୧ ଗ୍ରେଡରେ ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏ-୨ ଗ୍ରେଡରେ ୫୪ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ବି-୧ ଗ୍ରେଡରେ ୧ ଲକ୍ଷ ୨୦ ହଜାର ୩୧୨ ଜଣ ଏବଂ ବି-୨ରେ ୧ ଲକ୍ଷ ୪୨ ହଜାର ୫୯୯ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ତେବେ ପରୀକ୍ଷାରେ ୫୬.୯୯ ପ୍ରତିଶତ ପିଲା ୬୦%ରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ।

ଚଳିତବର୍ଷ ପରୀକ୍ଷାରେ ରାଜ୍ୟର ୧୧୭୦ ସ୍କୁଲରେ ପାସ ହାର ଶତ ପ୍ରତିଶତ ରେକର୍ଡ ହୋଇଛି । ଅନ୍ୟ ପକ୍ଷରେ ମାଲକାନାଗିରିର ୨ଟି ଏବଂ ଅନୁଗୁଳର ଗୋଟିଏ ସ୍କୁଲରେ ଏହି ହାର ଶୂନ ପ୍ରତିଶତ ରହିଛି । ଏହି ତିନୋଟି ସ୍କୁଲର କୌଣସି ଛାତ୍ରଛାତ୍ରୀ ପାସ କରିନାହାନ୍ତି । ଅନୁଗୁଳର ଏହି ସ୍କୁଲରେ ମାତ୍ର ୨ ଜଣ ପିଲା ପାଠ ପଢୁଥିଲେ ବୋଲି ଜାଣିବାକୁ ମିଳିଛି ।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ବୁଧବାର ଦିନ ବୋର୍ଡ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ-୨୦୨୨ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିଛନ୍ତି ।

http://bseodisha.ac.in, http://bseodisha.nic.in  ରେଜଲ୍ଟ ଉପଲବ୍ଧ । ଅପରାହ୍‌ଣ ୨ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । SMS ଜରିଆରେ ମଧ୍ୟ ଆପଣ ପାଇପାରିବେ ମାଟ୍ରିକ୍ ପରୀକ୍ଷା ଫଳ । OR10 SPACE ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS କଲେ ଫଳ ପାଇହେବ ।

Get real time updates directly on you device, subscribe now.