fbpx

ପରୀକ୍ଷା କେନ୍ଦ୍ରରେ ଘଟିଲା ବଡ଼ ଅଘଟଣ: ଅକାଳରେ ଚାଲିଗଲା ଜଣେ ମାଟ୍ରିକ ଛାତ୍ରଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୧୦ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩,୨୧୮ଟି ସେଣ୍ଟରରେ ମୋଟ ୫,୫୧,୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପୂର୍ବରୁ ଯେଉଁ ସେଣ୍ଟରମାନଙ୍କରେ ସମ୍ମେଟିଭ-୧ ପରୀକ୍ଷା ହୋଇଥିଲା ସେହି ସେଣ୍ଟରଗୁଡ଼ିକରେ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହୋଇଛି ।

ତେବେ ଏହା ମଧ୍ୟରେ ଆଜି ପରୀକ୍ଷା କେନ୍ଦ୍ରରୁ ଆସିଛି ଏକ ବଡ଼ ଖବର । କୋରାପୁଟ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ଦାମନଯୋଡ଼ି ପରୀକ୍ଷା ହଲରେ ମାଟ୍ରିକ ଛାତ୍ର ମାଲୁ ସାଆନ୍ତା ପ୍ରାଣ ହରାଇଛନ୍ତି । ମାଲୁ ପରୀକ୍ଷା ହଲକୁ ଆସିବା ପରେ ହଠାତ୍ ଅଚେତ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ଛାତ୍ର ଜଣଙ୍କ ପୂର୍ବରୁ କିଛି ରୋଗରେ ଆକ୍ରାନ୍ତ ଥିବା ନେଇ ସନ୍ଦେହ କରାଯାଉଛି । ଗୋଟିଏ ପଟେ ପିଲାଙ୍କର ପରୀକ୍ଷା କିପରି ହେଲା ତାହା ଶୁଣିବାକୁ ଅଭିଭାବକମାନେ ଚାତକ ଭଳି ଅପେକ୍ଷା କରି ରହିଥିବା ବେଳେ ଏହି ଖବର ପିତାମାତା, ପରିବାର, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକର ଲହରୀ ଖେଳାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷାକୁ ସଠିକ୍ ଭାବେ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଇଥିଲା । ପିଲାମାନେ ଯେପରି ଠିକ୍ ସମୟରେ ପରୀକ୍ଷା ଦେଇ ଘରକୁ ଫେରିବେ ସେଥିପ୍ରତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବେଶ୍ ଯତ୍ନବାନ ଥିଲେ । ସେଥିପାଇଁ ସେ ରାଜଧାନୀ ଭୁବନେଶ୍ୱରର କିଛି ପରୀକ୍ଷା କେନ୍ଦ୍ର ମଧ୍ୟ ଗସ୍ତ କରିଥିଲେ । ତେବେ ଚଳିତ ବର୍ଷ ୧୩,୦୫୮ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଉନଥିବା ଜଣପାଡ଼ିଥିଲା । ଫର୍ମ ଫିଲ୍ ଅପ୍ କରିବା ପରେ ବି ସେମାନେ ପରୀକ୍ଷା ଦେବାକୁ ଆସି ନଥିଲେ । ତେଣୁ ଡ୍ରପ ଆଉଟ୍ ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ଏବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଦାଶ ବିଧାନସଭାରେ ଗତ ୧୪ ତାରିଖରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.