fbpx

IPL 2022: ପଞ୍ଜାବ କିଙ୍ଗ୍ସର ନୂତନ ଅଧିନାୟକ ହେବେ ମୟଙ୍କ ଅଗ୍ରଓ୍ଵାଲ, ଖୁବ୍ ଶୀଘ୍ର ଘୋଷଣା କରିବ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ମୟଙ୍କ ଅଗ୍ରଓ୍ଵାଲ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଗତ ଦୁଇଟି ସିଜିନରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଏବଂ କେଏଲ ରାହୁଲ ଦଳକୁ ଓପନିଂରେ ମଜବୁତ ସ୍ଥିତି ଦେଇଥିଲେ। ଉଭୟ ବହୁତ ଭଲ ବନ୍ଧୁ ଏବଂ ଅନେକ ସମୟରେ ଭାରତୀୟ ଦଳ ପାଇଁ ମଧ୍ୟ ଓପନିଂ କରି ସାରିଛନ୍ତି। ତେବେ ରାହୁଲ ଏବେ ଦଳରୁ ଅଲଗା ହୋଇ ସାରିଛନ୍ତି। ସେ ଆଇପିଏଲର ନୂତନ ଦଳ ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ ହୋଇଛନ୍ତି।

ପଞ୍ଜାବ ଏ ପର୍ଯ୍ୟନ୍ତ ନୂତନ ଅଧିନାୟକଙ୍କ ନାମ ଘୋଷଣା କରି ନାହିଁ। ହେଲେ ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ପଞ୍ଜାବ କିଙ୍ଗ୍ସ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଦଳର ନୂତନ ଅଧିନାୟକ କରିବାକୁ ଯାଉଛି। ଏହାର ପୂରା ସମ୍ଭାବନା ରହିଛି ଯେ, ଚଳିତ ସିଜିନର ମୟଙ୍କ ପଞ୍ଜାବ ଦଳର ନେତୃତ୍ଵ ନେବେ। ଚଳିତ ସପ୍ତାହ ଶେଷ ଆଡକୁ ଆନୁଷ୍ଠାନିକ ଘୋଷଣା କରାଯିବ। ମୟଙ୍କ ୨୦୧୮ରୁ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। କେଏଲ ରାହୁଲ ଯେବେ ଦଳର ଅଧିନାୟକ ଥିଲେ, କିଛି ମ୍ୟାଚରେ ତାଙ୍କର ଅନୁପସ୍ଥିତିରେ ମୟଙ୍କ ପଞ୍ଜାବର ନେତୃତ୍ଵ ମଧ୍ୟ ନେଇଥିଲେ। ୨୦୨୧ ପରେ ପଞ୍ଜାବ ମୟଙ୍କଙ୍କୁ ୧୨ କୋଟି ଟଙ୍କା ଦେଇ ରିଟେନ୍ କରିଥିଲା।

ପଞ୍ଜାବ କିଙ୍ଗ୍ସ ନିକଟରେ ସଂପନ୍ନ ଆଇପିଏଲ ୨୦୨୨ ନିଲାମରେ ଶିଖର ଧାଓ୍ଵନଙ୍କ ପରି ଖେଳାଳିଙ୍କୁ କିଣିଛି। ତାଙ୍କୁ ଅଧିନାୟକ କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମୟଙ୍କ ଆଇପିଏଲର ଗତ ଦୁଇଟି ସିଜିନରେ ୮୦୦ରୁ ଅଧିକ ରନ କରିଛନ୍ତି। ୨୦୨୧ରେ ୧୨ଟି ମ୍ୟାଚରେ ସେ ୪୪୧ ରନ କରିଥିଲେ। ଏଥିରେ ଚାରି ଅର୍ଦ୍ଧଶତକ ସାମିଲ୍। ୨୦୨୦ରେ ୧୧ଟି ମ୍ୟାଚରେ ୪୨୪ ରନ କରିଥିଲେ। ଏଥିରେ ଦୁଇ ଅର୍ଦ୍ଧଶତକ ରହିଥିଲା।

Get real time updates directly on you device, subscribe now.