fbpx

ରାଷ୍ଟ୍ରପତି ନିର୍ବାଚନ: ମାୟାବତୀଙ୍କ ବଡ ନିଷ୍ପତ୍ତି, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବିଏସପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ(ଏନଡିଏ) ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ବିଜେପି ଆଦିବାସୀ କାର୍ଡ ଜରିଆରେ ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବିରୋଧୀଙ୍କୁ ବିବଶ କରି ଦେଇଛି। ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଏବେ ବିରୋଧୀ ଦଳ ପକ୍ଷରୁ ବି ସମର୍ଥନ ପାଇବାରେ ସଫଳ ହୋଇଛନ୍ତି।

ବହୁଜନ ସମାଜ ପାର୍ଟି(ବିଏସପି) ପ୍ରମୁଖ ମାୟାବତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଏସପି ପ୍ରମୁଖ ମାୟାବତୀ ଘୋଷଣା କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।
ମାୟାବତୀ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ମଧ୍ୟ ଜବାବ ରଖିଛନ୍ତି। ସେ କହିଛନ୍ତି ଆମର ଏହି ନିଷ୍ପତ୍ତି ନା ବିଜେପି କିମ୍ବା ଏନଡିଏ ପକ୍ଷରେ, ନା ବିରୋଧୀଙ୍କ ବିରୋଧରେ ନିଆଯାଇଛି। ଆମେ ଏହି ନିଷ୍ପତ୍ତି ନିଜ ପାର୍ଟି ଏବଂ ଆନ୍ଦୋଳନକୁ ଧ୍ୟାନରେ ରଖି ନେଇଛୁ।

ସୂଚନାଯୋଗ୍ୟ, ବିଏସପି ଦଳିତ ଆନ୍ଦୋଳନରୁ ଗଢି ଉଠିଥିବା ପାର୍ଟି। ପାର୍ଟିର ମୂଳ ଭୋଟ୍ ବ୍ୟାଙ୍କ ହେଉଛି ଦଳିତ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମୁଦାୟରୁ ଆସିଛନ୍ତି। ତେଣୁ ବିଏସପି ଏହି ଦ୍ଵନ୍ଦ୍ଵରେ ପଡିଥିଲା ଯେ, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନା ବିରୋଧୀ ଦଳର ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ କରିବ।

ଶନିବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ କମିଟି ବୈଠକ ବସିବାକୁ ଯାଉଛି। ଏଥିରେ ସ୍ଥିର କରାଯିବ ଯେ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ। ଜୁନ ୧୫ରେ ବିରୋଧୀଙ୍କ ବୈଠକରେ ଜେଏମଏମ ଉପସ୍ଥିତ ଥିଲା। ହେଲେ ଅନ୍ତିମ ବୈଠକରେ ପାର୍ଟି ଗାଏବ ଥିଲା। ଶେଷ ବୈଠକରେ ହିଁ ସିହ୍ନାଙ୍କ ନାମ ଘୋଷଣା କରାଯାଇଥିଲା। ଜେଏମଏମ ମଧ୍ୟ ଦ୍ଵନ୍ଦ୍ଵରେ ଯେ, ପାର୍ଟି କାହାକୁ ସମର୍ଥନକ କରିବ। ଦ୍ରୌପଦୀ ମୁର୍ମୁ ପୂର୍ବେ ରାଜ୍ୟର ରାଜ୍ୟପାଳ ଥିବାରୁ ତାଙ୍କୁ ସମର୍ଥନ ଦେବା ନେଇ ରାଜ୍ୟବାସୀ ଚାହୁଁଛନ୍ତି। ଅନ୍ୟପଟେ ବିରୋଧୀ ଦଳ ହିସାବରେ ମୁର୍ମୁଙ୍କୁ ସମର୍ଥନ ଦେବା ଅନ୍ୟ ସହଯୋଗୀ ଦଳକୁ ଅସନ୍ତୁଷ୍ଟ କରିବା ପରି ହେବ। ତେଣୁ ଦଳ ଆଜିର ବୈଠକରେ କଣ ନିଷ୍ପତ୍ତି ନେଉଛି ତାହା ଦେଖିବା ବାକି ରହିଲା।

Get real time updates directly on you device, subscribe now.