fbpx

ସ୍ୱାସ୍ଥ୍ୟ ବିଭାଗର ନୂଆ ପଦକ୍ଷେପ: କିନ୍ନରଙ୍କ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ମେଡିକାଲ ବୋର୍ଡ’

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିନ୍ନର ବା ତୃତୀୟ ଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରିଆସିଛନ୍ତି । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୧୪ ହଜାର କିନ୍ନରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ । ଫଳରେ ସେମାନଙ୍କୁ ମଧୁବାବୁ ଯୋଜନାରେ ମାସିକ ପେନସନ ମିଳୁଛି । ସେହିପରି ସେମାନଙ୍କର ସାମାଜିକ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘କିନ୍ନର ସୁରକ୍ଷା ସେଲ’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ତେବେ ଏହା ମଧ୍ୟରେ କିନ୍ନରଙ୍କ ପାଇଁ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । କିନ୍ନରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘ମେଡିକାଲ ବୋର୍ଡ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ସମସ୍ତ ସିଡିଏମଓ / ପିଏଚଓଙ୍କୁ ଚିଠି ଲେଖିଛନ୍ତି ।

ଏହି ବୋର୍ଡରେ ଡିଏମଓ (ଏମଏସ) ଆବାହକ ରହିଥିବା ବେଳେ ତାହା ସିଡିଏମଓ / ପିଏଚଓଙ୍କ ନେତୃତ୍ୱରେ ପରିଚାଳିତ ହେବ । ଏଥିସହିତ ସେଥିରେ କ୍ଲିନିକାଲ ସାଇକୋଲୋଜିଷ୍ଟ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ସଦସ୍ୟ ରହିଛନ୍ତି । ତୃତୀୟ ଲିଙ୍ଗୀ କୌଣସି ଅନୁରୋଧ କରିବା ପରେ କମିଟି ସେନେଇ ବୈଠକ ଆୟୋଜନ କରିବ ଓ ନିଷ୍ପତ୍ତି ଗ୍ରହଣ କରିବ । ଜିଲ୍ଲାସ୍ତରରେ ଏହି ବୋର୍ଡ ଗଠନ ନେଇ ପୂର୍ବରୁ ଏନଏଚଅରସିଙ୍କ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ନରଙ୍କ ଲିଙ୍ଗ ପରିବର୍ତ୍ତନ, ଚିକିତ୍ସା, ପରାମର୍ଶ ଓ କାଉନସେଲିଂ ଦିଗରେ ଏହି କମିଟି ପଦକ୍ଷେପ ଗ୍ରହଣ କରିବ ।

Get real time updates directly on you device, subscribe now.