fbpx

ବୟସ ମାତ୍ର ୧୨: ଡିଜାଇନ କରିଛନ୍ତି ବିଶ୍ୱକପ ଜର୍ସି

Advertisement

ନୂଆଦିଲ୍ଲୀ: ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପରେ ବାଂଲାଦେଶ ଭଳି ଅଭିଜ୍ଞ ଦଳକୁ ହରାଇବା ପରେ ସ୍କଟଲାଣ୍ଡ କ୍ରିକେଟ୍ ଦଳ ଅଜସ୍ର ପ୍ରଶଂସା ସାଉଣ୍ଟି ଚାଲିଛି । ଦଳର ଜର୍ସି ମଧ୍ୟ ସ୍କଟଲାଣ୍ଡରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ବିଶ୍ୱକପରେ ସ୍କଟଲାଣ୍ଡ ଖେଳାଳିମାନେ ପିନ୍ଧୁଥିବା ଘନ ନୀଳ ଏବଂ ବାଇଗଣି ରଙ୍ଗର ଜର୍ସିକୁ ରେବେକା ଡାୱନି ନାମକ ଜଣେ ୧୨ ବର୍ଷୀୟା ବାଳିକା ଡିଜାଇନ୍ କରିଛନ୍ତି । ଶହ ଶହ ଡିଜାଇନରଙ୍କୁ ପଛରେ ପକାଇ ସେ ଏହି ସମ୍ମାନଜନକ କାର୍ୟ୍ୟ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସ୍କଟଲାଣ୍ଡର ବିଶ୍ୱକପ୍ ଜର୍ସି ଲାଗି ସେଠାକାର କ୍ରିକେଟ୍ ବୋର୍ଡ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲା । ଏଥିରେ ୨୦୦ରୁ ଅଧିକ କୁନି ଓ ବିଦ୍ୟାଳୟସ୍ତରୀୟ ଡିଜାଇନରଙ୍କୁ ପଛରେ ପକାଇ ରେବେକା ବିଜୟୀ ହୋଇଥିଲେ । ତାଙ୍କ ଡିଜାଇନ ସର୍ବଶ୍ରେଷ୍ଠ ଡିଜାଇନର ପୁରସ୍କାର ଲାଭ କରିଥିଲା ।

ସ୍କଟଲାଣ୍ଡର ଜାତୀୟ ପ୍ରତୀକ ଥିସଲ ଫୁଲକୁ ଆଧାର କରି ସେ ଏହି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଖେଳାଳିମାନେ ତାଙ୍କର ଏହି ଡିଜାଇନକୁ ବେଶ୍ ପସନ୍ଦ କରୁଛନ୍ତି । ସ୍କଟଲାଣ୍ଡ ଦଳ ବିଶ୍ୱକପ୍ ଖେଳିବାକୁ ୟୁଏଇ ଯାତ୍ରା କରିବାର ଠିକ୍ ପୂର୍ବରୁ ନିଜେ ରେବେକା ଏହି ଜର୍ସିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ । ଏଡିନବର୍ଗରେ ଜିମ୍ବାୱେ ବିପକ୍ଷରେ ସ୍କଟଲାଣ୍ଡ ଖେଳୁଥିବା ଏକ ମ୍ୟାଚ୍ ଅବସରରେ ତାଙ୍କ ପରିବାରକୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ରେବେକା ମଧ୍ୟ ଖେଳାଳିଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ଏହି ଡିଜାଇନକୁ ନେଇ ଆମେ ବେଶ୍ ଗର୍ବିତ ବୋଲି ସ୍କଟଲାଣ୍ଡ ଅଧିନାୟକ କାଇଲ କୋଏଜର କହିଛନ୍ତି ।

Get real time updates directly on you device, subscribe now.