fbpx

ଟିଟଲାଗଡ଼ ପହଞ୍ଚିଲା ପ୍ରବାସୀଙ୍କ ଟ୍ରେନ୍

ଟିଟଲାଗଡ଼, ୧୦ା୫ (ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ଏକ ଟ୍ରେନ୍ ଟିଟଲାଗଡ଼ ଷ୍ଟେସନରେ ପହଞ୍ଚିଛି । ଏହି ଟ୍ରେନ୍ରେ ପ୍ରାୟ ୨୮ଟି ଜିଲ୍ଲାର ୧୨ଶହ ପ୍ରବାସୀ ଓଡ଼ିଆ ଆସିଥିବା ନେଇ ସୂଚନା ମିଳିଛି । ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇ କେତେକ ସ୍ୱତନ୍ତ୍ର ବସରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ଏହି ଟ୍ରେନ୍ ଆସୁଥିବା ଘଟଣାକୁ ଲକ୍ଷ୍ୟ କରି ଟିଟଲାଗଡ଼ ପ୍ରଶାସନ ପକ୍ଷରୁ ଆଜି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଏହି ସମୟରେ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ ବୋଲି ଘୋଷଣା କରାଯାଇଥିଲା । ଏହି ନିୟମକୁ ମଧ୍ୟ ଜିଲ୍ଲାବାସୀ ମାନି ଘରୁ ବାହାରକୁ ବାହାରି ନାହାନ୍ତି । ପ୍ରକାଶଯୋଗ୍ୟ, ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଥିବା ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି । ଏହି ପ୍ରବାସୀମାନେ କରୋନା ସଂକ୍ରମିତ ରାଜ୍ୟଗୁଡ଼ିକରୁ ଫେରୁଥିବାରୁ ରାଜ୍ୟରେ ଏପରି ଅବସ୍ଥା ଦେଖାଦେଇଛି । ଦେଶରେ ମହାରାଷ୍ଟ୍ର କରୋନା ଆକ୍ରାନ୍ତ ରାଜ୍ୟଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଥିବା ବେଳେ ସେହିଠାରୁ ପ୍ରବାସୀ ଫେରିବା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି ।

Get real time updates directly on you device, subscribe now.