fbpx

ଦଶହରା ପୂର୍ବରୁ ହୋଇପାରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ, ବାଦ୍ ପଡ଼ିବେ ଅଧ ଡଜନରୁ ଅଧିକ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ଦିନର ନିରବତା ପରେ ପୁଣି ରାଜ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ରଥଯାତ୍ରା ପୂର୍ବରୁ ଏହି ପରିବର୍ତ୍ତନ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ହେଁ ସେପରି କିଛି ହୋଇନଥିଲା । କେବଳ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଏକ ନକଲି ତାଲିକା ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା, ଯାହାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଯାଇଥିଲା । ତେବେ ଆଗକୁ ପିପିଲି ଉପନିର୍ବାଚନ ଥିବାରୁ ପ୍ରଚାର କାର୍ଯ୍ୟରେ ଏହି ନେତାମାନଙ୍କର ଅଂଶଗ୍ରହଣ ଦଳକୁ ଅଡ଼ୁଆରେ ପକାଉଛି ବୋଲି ଶୁଣିବାକୁ ମିଳୁଛି ।

ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ମନ୍ତ୍ରୀ ବିବାଦ ଘେରରେ ରହିଛନ୍ତି । ତେଣୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବିବାଦୀୟ ନେତାମାନଙ୍କୁ ଦଳରୁ ବାହାର କରିବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି । ଆସନ୍ତା ଦଶହରା ପୂର୍ବରୁ ଏହି ସଂପ୍ରସାରଣ କାର୍ଯ୍ୟ ସମାପ୍ତ ହେବ ବୋଲି ଜଣାପଡ଼ିଛି । ତେବେ ବାସ୍ତବରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ କି ନାହିଁ ତାହା ସୁପ୍ରିମୋଙ୍କର ଇଚ୍ଛାଧୀନ ବ୍ୟାପାର । ଆଉ କିଛିଦିନର ଅପେକ୍ଷା ପରେ ହୁଏତ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ଅସଲ ରହସ୍ୟ ପଦାକୁ ଆସିଯିବ ।

ସୂଚନାଯୋଗ୍ୟ ଯେ, ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ପରିବର୍ତ୍ତନ ପରେ ରାଜ୍ୟରେ ମଧ୍ୟ ପରିବର୍ତ୍ତନକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରେ ଏହି ପରିବର୍ତ୍ତନ ହେବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ପୂର୍ବରୁ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା, ଯେଉଁଥିରେ କି ଅନେକ କ୍ଷମତାଶାଳୀକୁ ବାଦ୍ ଦିଆଯାଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ନବୀନଙ୍କ ଏହି ପରିବର୍ତ୍ତନ ଦଳ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ତେବେ ପରିବର୍ତ୍ତନ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାରୁ କିଏ ଯିବ ଆଉ କିଏ ରହିବ ତାହାକୁ ନେଇ ନେତାଙ୍କ ଛାତିରେ ଛନକା ପଶିଯାଇଛି ।

Get real time updates directly on you device, subscribe now.