fbpx

ଅଡୁଆରେ ଗୁଜରାଟ ବିଜେପି! ସବୁ ମନ୍ତ୍ରୀଙ୍କୁ ବଦଳାଇବାକୁ ଚାହୁଁଛନ୍ତି ସିଏମ ଭୂପେନ୍ଦ୍ର ପଟେଲ୍, ରୂପାନୀଙ୍କ ଘରେ ପହଞ୍ଚିଲେ ଅନେକ ବିଧାୟକ

ଅହମ୍ମଦାବାଦ : ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର ହୋଇପାରେ କ୍ୟାବିନେଟ୍ ସଂପ୍ରସାରଣ । ହେଲେ କ୍ୟାବିନେଟ୍ ବିସ୍ତାର ପୂର୍ବରୁ ପାର୍ଟିରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି । ଯାହା ବିଜେପି ପାଇଁ ବଡ ଚିନ୍ତାର କାରଣ ପାଲଟିପାରେ । ମିଡିଆ ରିପୋର୍ଟ ଅନୁଯାୟୀ, ଭୂପେନ୍ଦ୍ର ପଟେଲ୍ ପୂରା ମନ୍ତ୍ରିମଣ୍ଡଳରେ ବଦଳାଇବାକୁ ଚାହୁଁଛନ୍ତି । ଏହାକୁ ନେଇ ପାର୍ଟିରେ ଅନେକ ନେତା ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏହି କାରଣରୁ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସନ୍ଧ୍ୟାକୁ ଘୁଞ୍ଚାଇ ଦିଆଯାଇଛି ଯାହା ପୂର୍ବେ ଅପରାହ୍ନରେ ହେବାର ଥିଲା ।

ସୂଚନା ଅନୁଯାୟୀ, ଭୂପେନ୍ଦ୍ର ପଟେଲଙ୍କ ଏହି ନିଷ୍ପତ୍ତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ ଏବଂ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡାସମା ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ, ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ କେବଳ ମନ୍ତ୍ରୀ ଭାବେ କ୍ୟାବିନେଟରେ ସାମିଲ କରାଯାଇପାରେ । ଏଥିରେ ପାର୍ଟିରେ ମତଭେଦ ଅଧିକ ହେବାର ଆଶଙ୍କା କରାଯାଉଛି ।

ବିଜେପି ସୂତ୍ର ମୁତାବକ ୯୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ହଟାଯିବା ଉପରେ ବିଚାର କରାଯାଉଛି । କେବଳ ଦୁଇରୁ ତିନି ଜଣ ମନ୍ତ୍ରୀ ଏମିତି ଅଛନ୍ତି ଯେଉଁମାନଙ୍କୁ ପୁନର୍ବାର ମନ୍ତ୍ରୀ କରାଯିବ । ଏହାକୁ ନେଇ ପାର୍ଟିରେ ଏବେ ତିକ୍ତତା ବଢିବାରେ ଲାଗିଛି । ଅନେକ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଘରେ ପହଞ୍ଚିଛନ୍ତି ।

କୁହାଯାଉଛି ପଟେଲ ନିଜ ମନ୍ତ୍ରିମଣ୍ଡଳରେ ଅନେକ ନୂତନ ଚେହେରା ସାମିଲ୍ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଅନେକ ପୁରୁଣା ଏବଂ ଯୁବ ନେତାଙ୍କୁ ନିଜର ଜାଗା ଖାଲି କରିବାକୁ ପଡିପାରେ । ଏଥିସହ ଅନେକ ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିପାରେ । ଜାତି ସମୀକରଣକୁ ଦୃଷ୍ଟିରେ ରଖି ଭଲ ଛବି ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନ ମିଳିବା ନେଇ ନୀତିନ ପଟେଲ୍ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ସେ ହେଉଛି ଦଳର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ । ବିଜୟ ରୂପାନୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଦୌଡରେ ଯେଉଁ ନେତାମାନେ ଥିଲେ ସେମାନଙ୍କ ମଧ୍ୟରୁ ନୀତିନ ପଟେଲ ଆଗରେ ଥିଲେ । ହେଲେ ପ୍ରଥମ ଥର ବିଧାୟକ ହୋଇଥିବା ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନୀତିନଙ୍କୁ ଦୁଃଖି କରିଥିଲା । ମୁଖ୍ୟମନ୍ତ୍ରୀ ବଦଳାଇଲେ ମଧ୍ୟ ଗୁଜରାଟ ବିଜେପିରେ ସବୁ କିଛି ଠିକ୍ ନଥିବା ବାହାରୁ ସ୍ପଷ୍ଟ ଜଣା ପଡୁଛି ।

Get real time updates directly on you device, subscribe now.