fbpx

ଚିକିତ୍ସା ବ୍ୟବସ୍ଥାର ନଗ୍ନ ରୁପ: ଜୀବନ ଯିବାପରେ ପ୍ରଶାସନ ପଚାରୁଛି “ଭଲ ଅଛନ୍ତି କି ନାହିଁ”

ବହ୍ମପୁର, ୨୮ା୪ (ଓଡିଶା ଭାସ୍କର) : ଚିକିତ୍ସାରେ ଅବହେଳାର ସୀମା ଟପିଗଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ୍ ରୋଗୀର ମୃତ୍ୟୁ ପରେ ଫୋନରେ ପଚାରାଯାଉଛି “ଭଲ ଅଛନ୍ତି କି ନାହିଁ, ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ” । ଗୋଟେପଟେ ଓଡିଶାରୁ ଅକ୍ସିଜେନ୍ ବାହାର ରାଜ୍ୟକୁ ଯାଉଥିବା ବେଳେ ଅନ୍ୟପଟେ ଓଡିଶାର ଲୋକେ ଅକ୍ସିଜେନ୍ ଅଭାବରେ ପ୍ରାଣ ହରାଉଛନ୍ତି । ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ । ଅକ୍ସିଜେନ୍ ଅଭାବରେ ସେଠାରେ ମିଥୁନ ପାଣିଗ୍ରାହୀ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ହେଲେ ମୃତ୍ୟୁର ୬ ଦିନ ପରେ ନିୟନ୍ତ୍ରଣ କକ୍ଷରୁ ଫୋନ୍ କରି ପଚରାଯିବା ପରେ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ମୃତ୍ୟୁବରଣ କରିଥିବା ମିଥୁନ୍ ଙ୍କ ପରିବାର ଲୋକେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ସୁଚନାଯୋଗ୍ୟ, ଦିଗପହଣ୍ଡି ଅଞ୍ଚଳର ରହୁଥିବା ମିଥୁନ ପାଣିଗ୍ରାହୀ କିଛି ଦିନ ତଳେ ମିଥୁନ ପାଣିଗ୍ରାହୀ ଫୁସଫୁସ୍ ଜନିତ ରୋଗରେ ପୀଡିତ ଥିଲେ । ୯ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଦିଗପହଣ୍ଡିରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା । ହେଲେ ତାଙ୍କ ଶରୀରରେ ଅକ୍ସିଜେନ୍ ଅଭାବ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଚାଲିଥିଲା । ସ୍ଥିତି ଜଟିଳ ହେବାରୁ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ପିଏମଆର କୋଠାକୁ ପଠାଯାଇଥିଲା । କିନ୍ତୁ ସେଠାରେ ଅକ୍ସିଜେନ୍ ଠିକ୍ ଭାବେ ମିଥୁନଙ୍କୁ ମିଳିନଥିଲା । କାରଣ ସେଠାରେ ଅକ୍ସିଜେନ୍ ସିଲିଣ୍ଡର ଠିକ୍ ଭାବରେ କାମ କରୁନଥିଲା । ଯାହା ଫଳରେ ଚିକିତ୍ସା ରେ ଗୁରୁତର ଅବହେଳା ଯୋଗୁଁ ମିଥୁନ୍ ଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ସେଠାରେ ତାଙ୍କୁ କମ୍ ଚାପ ଥିବା ଅକ୍ସିଜେନ୍ ଦିଆଯାଇଥିଲା । ଫଳସ୍ୱରୁପ ତାହା ସରିଯିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ହେଲେ ଏହାର କିଛି ଦିନ ପରେ ୨୪ ତାରିଖରେ ନିୟନ୍ତ୍ରଣ କକ୍ଷ ପକ୍ଷରୁ ମିଥୁନଙ୍କ ମୋବାଇଲ୍ କୁ କଲ୍ ଯାଇଥିଲା । ସେହି ଫୋନ୍ କୁ ଭାଇ ମିଲନ୍ ଉଠାଇଥିଲେ । କକ୍ଷ ପକ୍ଷରୁ ପଚାରାଯାଇଥିଲା ଯେ, ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି କି ନାହିଁ । ଠିକ୍ ଭାବେ ଚିକିତ୍ସା ମିଳୁଛି କି ନାହିଁ । ଚିକିତ୍ସାଧୀନ ଅଛନ୍ତି ନା ଘରକୁ ଚାଲି ଗଲେଣି । ଏହା ଶୁଣିବା ପରେ ତାଙ୍କ ଭାଇ କୋହ ସମ୍ଭାଳି ନ ପାରି କହିଥିଲେ ଯେ, “ଭାଇଙ୍କ ଜୀବନ ଚାଲି ଯାଇଛି’ । ଏତିକି କହିବା ପରେ ଫୋନ୍ ଟି କଟିଯାଇଥିଲା । ତେବେ ତାଙ୍କ ଭାଇ ମିଲନ୍ ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅବାହେଳାପୁର୍ଣ୍ଣ ଚିକିତ୍ସାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.