fbpx

ଓଡ଼ିଶାର ଏହି ସହରରେ ଆରମ୍ଭ ହେବ ‘ମୋ ବସ୍‌’: ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ବସ୍’ ଏବେ ରାଜ୍ୟର ବିଭିନ୍ନ ସହରରେ ଗଡୁଛି । ଏହାରୀ ମଧ୍ୟରେ ରାଉରକେଲାରେ ‘ମୋ ବସ୍’ ଚାଲିବ ବୋଲି ସୂଚନା ମିଳିଛି । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌ (କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏହି ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି।

ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶହେଟି ନୂଆ ବସ୍‌ ଚାଲିବ। ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ। ପରେ ଯାତ୍ରୀଙ୍କ ଚାହିଦା ତଥା ଆବଶ୍ୟକତାକୁ ଦେଖି ଏହି ସେବାକୁ ସହର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ।

ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ହିଁ ବୈଷୟିକ ପ୍ରସ୍ତାବ(ଟେକ୍ନିକାଲ୍‌ ପ୍ରପୋଜାଲ୍‌) ‌ଖୋଲାଯିବ। ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ। ସେବା ଉତ୍ତମମାନର ହେବା ସହିତ ବସ୍‌ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ। ବସ୍‌ଗୁଡ଼ିକ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ। ‘ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ’ ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି ସର୍ତ୍ତ ରଖିଛି କ୍ରୁଟ୍‌।

Get real time updates directly on you device, subscribe now.