fbpx

ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଲେ ସରକାର, ୨୫ ଟଙ୍କାରେ ବିକ୍ରୀ କରିବେ ପିଆଜ

Advertisement

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଟମାଟୋର ଦର ଉଚ୍ଚା ରହିବା ପରେ ଏବେ ଏହାର ମୂଲ୍ୟ ହ୍ରାସ ପାଇବା ଦ୍ୱାରା ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବା ବେଳକୁ ପୁଣି ବଢିଯାଇଛି ପିଆଜର ଦର । ପିଆଜର ଅଖିଳ ଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ୫୭% ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୭ ଟଙ୍କା ହୋଇଯାଇଛି । ଏହାକୁ ଲକ୍ଷ୍ୟ କରି ଶୁକ୍ରବାର କେନ୍ଦ୍ର ସରକାର ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବାକୁ ବଫର ଷ୍ଟକରୁ କିଲୋଗ୍ରାମ ପ୍ରତି ୨୫ ଟଙ୍କାରେ ଖୁଚୁରା ବଜାରରେ ପିଆଜ ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ଶୁକ୍ରବାର ପିଆଜର ଖୁଚୁରା ମୂଲ୍ୟ କିଲୋ ପ୍ରତି ୪୦ ଟଙ୍କା ଥିଲା ଯେତେବେଳେ କି ଏକ ବର୍ଷ ତଳେ ଏହି ସମୟରେ ପିଆଜର ମୂଲ୍ୟ ୩୦ ଟଙ୍କା ଥିଲା । ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି , ଆମେ ଅଗଷ୍ଟ ମାସ ମଧ୍ୟଭାଗରୁ ବଫର ଷ୍ଟକରୁ ପିଆଜ ଦେଇ ଆସୁଛୁ ଓ ଆଗକୁ ଦରବୃଦ୍ଧିକୁ ରୋକିବା ଲାଗି ଓ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ଲାଗି ଆମେ ଖୁଚୁରା ବିକ୍ରୀ ବୃଦ୍ଧି କରିବାକୁ ଯାଉଛୁ ।

ମନ୍ତ୍ରଣାଳୟ ଅନୁସାରେ ଯେଉଁସବୁ ରାଜ୍ୟରେ ଦ୍ରୁତ ଗତିରେ ଦର ବୃଦ୍ଧି ପାଉଛି ସେଠାରେ ବଫର ଷ୍ଟକରୁ ପିଆଜ ଦିଆଯାଉଛି । ଅଗଷ୍ଟ ମଧ୍ୟଭାଗରୁ ୨୨ ରାଜ୍ୟରେ ବଫର ଷ୍ଟକରୁ ପ୍ରାୟ ୧.୭ ଲକ୍ଷ ଟନ୍ ପିଆଜ ଦିଆଯାଇଛି । ବଫର ଷ୍ଟକର ପିଆଜକୁ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ ଓ ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ମହାସଂଘର ଦୋକାନ ତଥା ଗାଡି ଜରିଆରେ କିଲୋଗ୍ରାମ ପ୍ରତି ୨୫ ଟଙ୍କାରେ ବିକ୍ରୀ କରାଯାଉଛି ।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପାଣିପାଗ ସମ୍ବନ୍ଧିତ କାରଣରୁ ଖରିଫ ପିଆଜ ଚାଷରେ ବିଳମ୍ବ ହେତୁ କମ୍ ଫସଲ ଅମଳ ହୋଇଛି । ଷ୍ଟକ ରଖାଯାଇଥିବା ରବି ପିଆଜ ସରିଯିବାକୁ ବସିଥିବା ବେଳେ ଓ ଖରିଫ ପିଆଜ ଆସିବାରେ ବିଳମ୍ବ କାରଣରୁ ଏପରି ସ୍ଥିତି ଉପୁଜିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.