fbpx

ଯୁବପିଢୀଙ୍କୁ ମୋଦୀଙ୍କ ଦଶହରା ଭେଟି, ମିଳିବ ୬୬,୦୦୦ ଟଙ୍କା: ଆରମ୍ଭ ହେଲା PM Internship Scheme

ନୂଆଦିଲ୍ଲୀ: ଦଶହରା ପରି ପର୍ବରେ ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ଯୁବକ-ଯୁବତୀଙ୍କୁ ବିକାଶ ଏବଂ କୌଶଳକୁ ପରିମାର୍ଜିତ କରିବା ପାଇଁ ସରକାର ଏକ ନୂଆ ଯୋଜନା ପିଏମ ଇଣ୍ଟର୍ଣ୍ଣସିପ୍ ସ୍କିମର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ସମସ୍ତ ପ୍ରାର୍ଥୀଙ୍କୁ ବାର୍ଷିକ ୬୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ଏଥିପାଇଁ କେବଳ ସେହି ଯୁବବର୍ଗ ଆବେଦନ କରିପାରିବେ, ଯେଉଁମାନଙ୍କ ପରିବାରର ଆୟ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ୍ ରହିଛି । କେନ୍ଦ୍ର ସରକାରଙ୍କ ଆରକ୍ଷଣ ନିୟମ ମଧ୍ୟ ଏହି ଯୋଜନାରେ ଲାଗୁ କରାଯିବ । ଅର୍ତାତ୍ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିକୁ ଆରକ୍ଷଣ ମିଳିବ । କିନ୍ତୁ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ମାନଙ୍କୁ ହିଁ ଏହାର ଫାଇଦା ମିଳିପାରିବ ।

ଆଜି ଭାରତର ଲକ୍ଷ ଲକ୍ଷ ଯୁବପିଢୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦୀ ସରକାର । ଦେଶରେ ବେକାରୀ ସମସ୍ୟା ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବପିଢୀଙ୍କୁ ବଡ଼ ବଡ଼ କମ୍ପାନୀ ମାନଙ୍କରେ ନିଯୁକ୍ତି ଯୋଗାଇ ଦେବା ପାଇଁ ପିଏମ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଲଞ୍ଚ୍ କରାଯାଇଛି । ଯୁବପିଢୀ ମାନଙ୍କର କୌଶଳ ଏବଂ ରୋଜଗାର କ୍ଷମତାକୁ ବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ୨୦୨୪-୨୫ ବର୍ଷରେ ୧.୨୫ ଲକ୍ଷ ଯୁବକ-ଯୁବତୀଙ୍କୁ ରୋଜଗାର କ୍ଷମ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ଏହି ପୋର୍ଟାଲ ଜରିଆରେ ଦେଶର ଟପ୍ ୫୦୦ କମ୍ପାନୀରେ ଦେଶର ପ୍ରାୟ ୧ କୋଟି ଯୁବକ-ଯୁବତୀ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିବାର ସୁଯୋଗ ପାଇବେ । ପୋର୍ଟାଲ ଲଞ୍ଚ୍ ହେବା ପରେ ଦେଶର ଟପ୍ କମ୍ପାନୀ ଏଥିରେ ଇଣ୍ଟର୍ଣ୍ଣସିପ୍ ପୋଷ୍ଟ ଅପଲୋଡ କରିବେ । ଏହାପରେ ଇହି ପୋର୍ଟାଲକୁ ଯୋଗ୍ୟ ଆଶାୟୀ ଆବେଦନ କରିପାରିବେ । ଅକ୍ଟୋବର ୧୨ ତାରିଖରୁ ଏହି ପୋର୍ଟାଲ ଜରିଆରେ ଆଶାୟୀ ମାନେ ଆବେଦନ କରିପାରିବେ । ସରକାରଙ୍କ ଏହି ଯୋଜନା ଅଧୀନରେ ପ୍ରଥମ ପର୍ୟ୍ୟାୟରେ ଦେଶର ୩୦ ଲକ୍ଷ ଯୁବକ-ଯୁବତୀ ବିଭିନ୍ନ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରିପାରିବେ । ଏହାପରେ ଦ୍ୱିତୀୟ ପର୍ୟ୍ୟାୟରେ ୩ ବର୍ଷ ମଧ୍ୟରେ ୭୦ ହଜାର ଯୁବକ-ଯୁବତୀ ଦକ୍ଷତା ହାସଲ କରିପାରିବେ ।

କେନ୍ଦ୍ର ବଜେଟରେ ମୋଦୀ ସରକାର ଏହି ଯୋଜନାର ଘୋଷଣା କରିଥିଲେ । ରୋଜଗାର ଏବଂ କୌଶଳ ପାଇଁ ଏହି ଯୋଜନାର ମୋଦୀଙ୍କ ପ୍ୟାକେଜର ଏକ ଅଂଶ ପାଲଟିଛି । ୫ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ତେବେ କୌଣସି ପୂର୍ଣ୍ଣକାଳିକ ରୋଜଗାରରେ ସାମିଲ ନଥିବା ପ୍ରାର୍ଥୀ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହାବ୍ୟତୀତ ସେମାନଙ୍କ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ହୋଇ ନଥିବେ । ଆଇଆଇଏମ, ଆଇଆଇଏସଇଆର ଭଳି ପ୍ରତିଷ୍ଠିତ ସଂସ୍ଥାରୁ ସ୍ନାତକ କିମ୍ବା ସିଏ ବା ସିଏମଏ ଆଦି ଯୋଗ୍ୟତା ହାସଲ କରିଥିବା ଆବେଦକ ଏଥିରେ ସାମିଲ ହୋଇପାରିବେ ନାହିଁ ।

Get real time updates directly on you device, subscribe now.