fbpx

T-20 World Cupରୁ ବାଦ୍ ପଡ଼ିବେ ମହମ୍ମଦ ଶାମୀ: ଟିମ ଇଣ୍ଡିଆକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ମହମ୍ମଦ ଶାମୀଙ୍କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଶକ୍ତ ଝଟକା । ଆସନ୍ତା ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ଦିନିକିଆ ବିଶ୍ୱକପ-୨୦୨୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଆହତ ସମସ୍ୟା ଯୋଗୁଁ ଶାମୀ ଟି-୨୦ ବିଶ୍ୱକପରେ ସାମିଲ ହେବେ ନାହିଁ ବୋଲି ଜାଣିବାକୁ ମିଳିଛି । ଫେବୃଆରୀ ମାସରେ ଶାମୀ ସର୍ଜରୀ କରାଇଥିବା ବେଳେ ବିଶ୍ୱକପ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା କମ୍ ରହିଛି । ତେଣୁ ଟି-୨୦ ବିଶ୍ୱକପରେ ଶାମୀଙ୍କ ବିନା ମଇଦାନକୁ ଓହ୍ଲାଇବ ରୋହିତ ସେନା ।

ଟି-୨୦ ବିଶ୍ୱକପରେ ମହମ୍ମଦ ଶାମୀଙ୍କ ଉପଲବ୍ଧିକୁ ନେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଶାମୀଙ୍କ ସର୍ଜରୀ ଶେଷ ହେବା ପରେ ସେ ଭାରତ ଫେରି ଆସିଛନ୍ତି । ତେବେ ଟିମ ଇଣ୍ଡିଆର ଆଗାମୀ ଘରୋଇ ସିରିଜ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ବେଳେ ଏହି ସିରିଜରେ ଶାମୀଙ୍କ କମବ୍ୟାକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଜୟ ଶାହ । ଚଳିତବର୍ଷ ସେପ୍ଟେମ୍ବରରେ ଭାରତ-ବାଂଲାଦେଶ ମଧ୍ୟ ଟେଷ୍ଟ ଏବଂ ଟି-୨୦ ସିରିଜ ଖେଳାଯିବାର ସୂଚୀ ରହିଛି ।

ଷ୍ଟାର ବୋଲର ଶାମୀ ଗତ ଦିନିକିଆ ବିଶ୍ୱକପ ଫାଇନାଲରେ ଶେଷ ଥର ପାଇଁ ଖେଳିଥିଲେ । ଏହାପରେ ଆହତ ସମସ୍ୟା ଯୋଗୁଁ ସେ ଦଳରୁ ବାଦ୍ ରହିଥିବା ବେଳେ ନିକଟରେ ସର୍ଜରୀ ମଧ୍ୟ କରାଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ରେ ଭାରତ ସମେତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ବୋଲର ପାଲଟିଥିଲେ ମହମ୍ମଦ ଶାମୀ । ୭ଟି ମ୍ୟାଚରୁ ୨୪ଟି ୱିକେଟ ହାସଲ କରି ଭାରତକୁ ଫାଇନାଲରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ଟି ୱିକେଟ ନେଇ ଭାରାତକୁ ଫାଇନାଲ ଟିକେଟ ଦେଇଥିଲେ ମହମ୍ମଦ ଶାମୀ ।

Get real time updates directly on you device, subscribe now.