fbpx

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ, ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ଭୁବନେଶ୍ବର(ଓଡିଶା ଭାସ୍କର) : ଉନ୍ମୋଚିତ ହୋଇଛି ମେକ୍ ଇନ୍ ଓଡିଶା କନକ୍ଲେଭ 2025ର ଲୋଗୋ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର । ନିବେଶକମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି । ପ୍ରଗତି ପଥରେ ଆଗେଇ ଚାଲିଛି ଓଡିଶା । ଓଡିଶା ସରକାରଙ୍କ ସହଜ ଶିଳ୍ପନୀତି ନିବେଶକମାନଙ୍କୁ ଆକୃଷ୍ଟ କରୁଛି ।  ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କୁ ସ୍ୱାଗତ କରାଯାଇଛି । ଉକ୍ତ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତି ପରିଡା, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ରାଜ୍ୟର ବରିଷ୍ଠ ଶିଳ୍ପପତି,  ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 

କେବେ ହେବ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭର: ମେକ୍ ଇନ୍ ଓଡିଶା କନକ୍ଲେଭ ଆସନ୍ତା ଜାନୁଆରୀ 28 ଏବଂ 29 ତାରିଖରେ ଆୟୋଜିତ ହେବା ନେଇ ସ୍ଥିର କରାଯାଇଛି । ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ ସାରା ବିଶ୍ୱରେ ଓଡିଶାକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ପରିଣତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଉତ୍କର୍ଷ ଓଡିଶା ୨୦୨୫ କେବଳ ବିନିଯୋଗର  ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ଏହା ନିବେଶକ ମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ । ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ବିନିଯୋଗ, ବିଶ୍ୱ ସ୍ତରୀୟ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ସହ ସମୃଦ୍ଧ ଉତ୍କଳୀୟ ପରଂପରାର ବିକାଶ ପାଇଁ ପ୍ରୟାସ କରିବା ଆମର ଲକ୍ଷ୍ୟ।  ଏହି ଲୋଗୋର ଉନ୍ନୋଚନ ଓଡିଶାକୁ ଭାରତର ଏକ ପ୍ରମୁଖ  ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.