fbpx

BIG BREAKING: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ

ଓଡିଶା ଭାସ୍କର: ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା, ମଧ୍ୟପ୍ରଦେଶ ରାଜ୍ୟ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ତେବେ ଓବିସି ସମ୍ପ୍ରଦାୟଙ୍କୁ ଗୁରୁତ୍ୱ ଦେଇ ବିଜେପି ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ସୋମବାର ଅନୁଷ୍ଠିତ ବିଜେପି ବିଧାନସଭା ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ରାଜ୍ୟରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରାଜେଶ ଶୁକ୍ଲା ଏବଂ ଜଗଦୀଶ ଦେଓରା ମଧ୍ୟ ରହିବେ ବୋଲି ନିଷ୍ପତି ନିଆଯାଇଛି । ଏହି ବିଧାନସଭା ପାର୍ଟି ବୈଠକରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ମାନେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦଳର ଅନ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ନଭେମ୍ବର ୧୭ ରେ ଅନୁଷ୍ଠିତ ନିର୍ବାଚନରେ ​​୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୬୩ ଟି ଆସନ ଜିତି ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି। ଅନ୍ୟପଟେ କଂଗ୍ରେସ ୬୬ ଟି ସିଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦୁଇ ଦଶନ୍ଧି ମଧ୍ୟରେ ପଞ୍ଚମ ଥର ପାଇଁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହାପୂର୍ବରୁ ୨୦୦୩, ୨୦୦୮, ୨୦୧୩ ଏବଂ ୨୦୨୦ ରେ ବିଜେପି ଏଠାରେ କ୍ଷମତାକୁ ଆସିଥିଲା।

ଏଠାରେ କହି ରଖୁଛୁ ଯେ, ମୋହନ ଯାଦବ ଏବେ ରାଜ୍ୟର ଦକ୍ଷିଣ ଉଜ୍ଜୈନରୁ ବିଧାୟକ ଅଛନ୍ତି। ସେ ୩ ଥର (୨୦୧୩, ୧୮ ଓ ୨୩) ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ମଧ୍ୟପ୍ରଦେଶର ଶିବରାଜ ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ରାଷ୍ଟ୍ରୀୟ ସ୍ୱୟଂ ସେବକ ବା ଆରଏସଏସ ଜରିଆରେ ସେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ଶିବରାଜ ସିଂହ ଚୌହାନ ହାଇକମାଣ୍ଡ ନିଷ୍ପତ୍ତିରେ ସାମାନ୍ୟ ନିରାଶ ହୋଇଛନ୍ତି। କାରଣ ତାଙ୍କ ନେତୃତ୍ୱରେ ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଥିଲା। ବିଭିନ୍ନ ଲୋକପ୍ରିୟ ଯୋଜନା ଯୋଗୁ ଜନତା ବିଜେପି ସପକ୍ଷରେ ଭୋଟ ଦେଇଥିଲେ। ମଧ୍ୟପ୍ରଦେଶବାସୀ ଶିବରାଜଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଚାହୁଁଥିଲେ। ଏକଥା ବିଭିନ୍ନ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଥିଲେ। ହେଲେ ବିଜେପି ହାଇକମାଣ୍ଡ ଦୀର୍ଘ ୯ ଦିନ କାଳ ମାନସମନ୍ଥନ କରି ମୋହନ ଯାଦବ ହିଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଏକଥା ବି ଚର୍ଚ୍ଚା ହେଉଛି ଯେ, ଏହା ବଦଳରେ ଶିବରାଜ ସିଂହ ଚୌହାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ।

Get real time updates directly on you device, subscribe now.