fbpx

T-20 World Cup ଖେଳିବା ପାଇଁ ବାହାରିଲେ ମହମ୍ମଦ ଶାମୀ: ବୁମରାହଙ୍କ ବିକଳ୍ପ ଭାବେ ଖେଳିବେ ବିଶ୍ୱକପ?

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଆହତ ସମସ୍ୟାକୁ ନେଇ ଚିନ୍ତିତ ଥିବା ଭାରତୀୟ ଦଳକୁ ମିଳିଛି ଖୁସି ଖବର । ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଏହାସହିତ ଟି-୨୦ ବିଶ୍ୱକପରେ ଖେଳିବାକୁ ନେଇ ଜାରି ରହିଥିବା କଳ୍ପନାଜଳ୍ପନା ଉପରେ ସେ ବିରାମ ଲଗାଇଛନ୍ତି । ବିଶ୍ୱକପ ପାଇଁ ଦଳରେ ଯୋଗ ଦେବାକୁ ବାହାରିଛନ୍ତି ଶାମୀ । ଇନଷ୍ଟାଗ୍ରାମରେ ଏ ନେଇ ଏକ ଫଟୋ ଅପଲୋଡ କରି ସ୍ପଷ୍ଟ କରିଛନ୍ତି ଏହି ଷ୍ଟାର ବୋଲର ।

ଆସନ୍ତା ଟି-୨୦ ବିଶ୍ୱକପ ପୂର୍ବରୁ ବୁମରାହଙ୍କ ବିକଳ୍ପକୁ ନେଇ ଲାଗି ରହିଥିଲା ଅନେକ ଚର୍ଚ୍ଚା । ତେବେ ଏଥିପାଇଁ ସବୁଠୁ ଆଗରେ ଶାମୀଙ୍କ ନାଁ ରହିଥିଲା । କିନ୍ତୁ ସେ ମଧ୍ୟ ଆହତ ସମସ୍ୟାକୁ ନେଇ ଏନସିଏରେ ରହିଥିଲେ । ଏବେ ସେ ଫିଟ ବୋଲି ସାବ୍ୟସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ବାହାରିଛନ୍ତି । ନିଜ ଇନଷ୍ଟାଗ୍ରାମରେ ବିମାନ ଭିତରୁ ଏକ ଫଟୋ ଅପଲୋଡ କରି ସେ କ୍ରିକେଟପ୍ରେମୀମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । କରୋନା ମହାମାରୀ ଏବଂ ଆହତ ସମସ୍ୟାକୁ ହରାଇ ଏବେ ବିଶ୍ୱକପ ଜିତିବା ଲକ୍ଷ୍ୟରେ ଆଗେଇ ଯାଇଛନ୍ତି ମହମ୍ମଦ ଶାମୀ ।

ତେବେ ବୁମରାହ ଆହତ ହୋଇ ଦଳରୁ ବାଦ ପଡିବା ପରେ ଏବେ ପର୍ଯ୍ୟନ୍ତ ବିସିସିଆଇ ତାଙ୍କ ବିକଳ୍ପ ଘୋଷଣା କରିନାହିଁ । ସେପଟେ ଷ୍ଟାଣ୍ଡବାଏରେ ଥିବା ଦୀପକ ଚହର ମଧ୍ୟ ଆହତ ହୋଇ ବିଶ୍ୱକପରୁ ବାଦ ପଡିଛନ୍ତି । ତେଣୁ ତାଙ୍କ ବିକଳ୍ପ ମଧ୍ୟ ଖୋଜିବ ବିସିସିଆଇ । ତେବେ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁର ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।

Get real time updates directly on you device, subscribe now.