fbpx

ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ଏହା ଯୌନଗତ ରୋଗ କି? ଜାଣନ୍ତୁ କ’ଣ କହିଲା WHO

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ନୂଆ ନୂଆ ଭାଇରସ୍ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାରା ବିଶ୍ୱରେ ମଙ୍କିପକ୍ସ ପୁଣି ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ବିଶ୍ୱର ୩୦ଟି ଦେଶରେ ଏହି ଭାଇରସ୍ କାୟା ମେଲାଇ ଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୮୦ରେ ପହଞ୍ଚିଛି ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସ୍ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଦିନକୁ ଦିନ ଅଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ମାଡ଼ି ଚାଲିଥିବାରୁ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ଏହା ଏକ ଯୌନଗତ ରୋଗ ନୁହେଁ ବୋଲି ସୂଚନା ଦିଆଯାଇଛି । ଏହି ଭାଇରସ ଚର୍ମରୁ ଚର୍ମ ଓ ଅନ୍ୟାନ୍ୟ ମାଧ୍ୟମରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଉଛି । ଏହାସହ ଶରୀରର ବିଭିନ୍ନ ପଦାର୍ଥ, ସଂକ୍ରମିତ ଶଯ୍ୟା, ଲୁଗାପଟା ଜରିଆରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ କେରଳରୁ ନୋରା ନାମକ ଏକ ଭାଇରସ୍ ଠାବ କରାଯାଇଛି । ଏହି ଭାଇରସ୍ ତିରୁଅନନ୍ତପୁରମ୍ର ଭିଜହିନଜାମ୍ ଅଞ୍ଚଳରେ ୨ ଶିଶୁଙ୍କଠାରେ ଚିହ୍ନଟ ହୋଇଛି । ଏହାକୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ରହିଛି । ଏଥିନେଇ କେହି ଆତଙ୍କିତ ହେବା ଆବଶ୍ୟକ ନାହିଁ । ସ୍ଥାନୀୟ ଏକ ସ୍କୁଲର ପିଲାମାନେ ଫୁଡ୍ ପଏଜନିଂ ଓ ଡାଇରିଆରେ ପଡ଼ିବାରୁ ସେମାନଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ସମୟରେ ଏହି ୨ ଶିଶୁଙ୍କଠାରେ ନୋରା ଭାଇରସ୍ ଥିବାର ସ୍ପଷ୍ଟ ହୋଇଛି । ଏହାପରେ କେରଳ ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ ଭାଇରସ୍ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଅଧିକ ନମୁନା ସଂଗ୍ରହ କରିଛନ୍ତି । ଏହି ଭାଇରସ୍କୁ ରୋକିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ ନଭେମ୍ବରରେ ପ୍ରଥମଥର ପାଇଁ କେରଳରୁ ନୋରା ଭାଇରସ୍ ଚିହ୍ନଟ କରାଯାଇଥିଲା । ଏକ ଭେଟେନାରୀ କଲେଜର ୧୩ଜଣ ଶିକ୍ଷାର୍ଥୀ ଏଥିରେ ଆକ୍ରାନ୍ତ ହୋଇଥିଲେ । ସରକାର ତୁରନ୍ତ ଏହି ଭାଇରସ୍ର ମୁକାବିଲା କରିଥିଲେ । ଫଳରେ ଏହା ଅଧିକ ସଂକ୍ରମିତ ହୋଇପାରିନଥିଲା । ଏହି ଭାଇରସ୍ ସାଧାରଣତଃ ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ତରଳ ପଦାର୍ଥ ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ ।

ନୋରା ଭାଇରସ୍ ସଂସ୍ପର୍ଶରେ ଆସିଥିବା ଯେକୌଣସି ଜିନିଷକୁ ଛୁଇଁଦେଲେ ମଧ୍ୟ ଏହା ବ୍ୟାପିଯାଇଥାଏ । ଏଥିରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ଝାଡ଼ାବାନ୍ତି ସହ ଶରୀରରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭାଇରସ୍ରୁ ସୁସ୍ଥ ହେଉଥିବା ଲୋକମାନେ ୨ ସପ୍ତାହ ଯାଏଁ ସଂକ୍ରମିତ କରିବାର କ୍ଷମତା ରଖିଥାନ୍ତି ।

Get real time updates directly on you device, subscribe now.