fbpx
BJD SKY
BJD SKY

ମୌସୁମୀ ଦୁର୍ବଳ; ମୌସୁମୀକୁ ଚାହିଁ ଚାହିଁ ଚାଷୀ ନିରାଶ। ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁନପାରେ ମୌସୁମୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତେଣୁ ମୌସୁମୀ ଆଗକୁ ବଢ଼ିବା ସମ୍ଭବପର ହୋଇପାରୁ ନାହିଁ। ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ ପାଣିପାଗ ବିଭାଗ କିଛି ବି ଆକଳନ କରିପାରୁନି। ଚାଷକାର୍ଯ୍ୟ କରିବାକୁ ମୌସୁମୀକୁ ଚାହିଁ ବସିଥିବା ଚାଷୀଙ୍କୁ ଆହୁରି ବେଶ୍ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ ଆକଳନ ଅନୁସାରେ ଚଳିତ ମାସ ୧୨ ତାରିଖରେ ଓଡ଼ିଶା ଛୁଇଁ ନପାରେ। ଏହା ଆସିବାରେ ବିଳମ୍ବ ଘଟିପାରେ। ଆକାଶରେ ଯଦିଓ ବାଦଲ ଓ ପବନ ରହିଛି ତେବେ ମୌସୁମୀ ଆଗମନରେ ସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିଛି।

ପ୍ରଥମତଃ ଉତ୍ତର-ପଶ୍ଚିମ ଦିଗରୁ ବୋହୁଥିବା ପବନର ପ୍ରବାହ ଅଧିକ ରହୁଥିବାରୁ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଘଟିବାରେ ଲାଗିଛି ଯାହା ମୌସୁମୀ ଆଗକୁ ବଢ଼ିବା ବାଟକୁ ରୋକିବାରେ ସମର୍ଥ ହୋଇପାରିଛି। ମଇ ୩୧ ପରେ ତାମିଲନାଡୁ, ବେଙ୍ଗାଲୁର, ଭେଲୁର ଓ ପୁଡୁଚେରୀରେ ଭଲ ବର୍ଷା ହୋଇଛି। ଉତ୍ତର-ପୂର୍ବ ଭାରତର ରାଜ୍ୟମାନଙ୍କରେ ମଧ୍ୟ ମୌସୁମୀ ପହଂଚିବା ପରେ ଭଲ ବର୍ଷା ଅନୁଭୂତ ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଂଚିବାରେ ବାଧା ଉପୁଜିଛି। ତେଣେପାଣିପାଗ ବିଭାଗର ଅନ୍ୟ ଏକ ସୂଚନାରୁ ଜଣାପଡ଼ିଛି ଯେ, ପୂର୍ବ ଝାରଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ମୌସୁମୀ ଠିକ୍ ସମୟରେ ଆସୁନଥିବାରୁ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି। ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ରୁ ୪ ଦିନ ଜାରି ରହିବ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକା ରହିଥିବାବେଳେ ଅଧିକାଂଶ ସ୍ଥାନରେ ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତରହୁଛି ତାପମାତ୍ରା। ସେପଟେ ପ୍ରବଳ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଲେଣି ଉପକୂଳ ଓଡ଼ିଶାବାସୀ। ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଆର୍ଦ୍ରତା ମିଶି ୫୦ ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଉପାନ୍ତରୁ ଉପକୂଳ ସବୁଠି ତାତିର ପ୍ରଭାବ ଅନୁଭୂତ ହେଉଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଉଥିଲେ ମଧ୍ୟ ଅନୁକୂଳ ବାତାବରଣ ନଥିବାରୁ ତାପମାତ୍ରା ହ୍ରାସ ପାଉନାହିଁ। ସବୁଠି ଅହସ୍ୟ ଗରମ ଓ ଗୁଳୁଗୁଳି।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର,ମୟୁରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଗଜପତି ଇତ୍ୟାଦି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Get real time updates directly on you device, subscribe now.