fbpx
BSKY
BJD MC SKY
BJD YOUTH SKY

କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି ଜେଲରେ, ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଓଡିଶାର ଜେଲ୍ ମାନଙ୍କର କଏଦୀ ସଂଖ୍ୟା ବଢ଼ିଚାଲିଛି । ସବୁ ଜେଲ୍ ରେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ କଏଦୀ ରହିଛନ୍ତି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହଯାଉଥିବା ବେଳେ ଏତେ ସଂଖ୍ୟାରେ କଏଦୀ ବିପଦଜନକ ଅବସ୍ଥାରେ ଜେଲ୍ ରେ ରହୁଛନ୍ତି । ରାଜ୍ୟର ୬ ଟି ଜେଲ୍ ରେ ଏତେ ସଂଖ୍ୟାରେ କଏଦୀ ରହିଛନ୍ତି ଯେ, ଆଉ ଜାଗା ନାହିଁ । ଫୁଲବାଣୀ ଜିଲ୍ଲା ଜେଲ୍, ଭଦ୍ରକ ସ୍ୱତନ୍ତ୍ର ଉପଜେଲ୍, ଯାଜପୁର, ନୟାଗଡ, ପାରଳାଖେମୁଣ୍ଡି ଏବଂ ମାଲକାନାଗିରିର ଉପଜେଲ୍ ରେଏତେ ସଂଖ୍ୟକ କଏଦୀ ରହିଛନ୍ତି ଅବସ୍ଥା ଅସମ୍ଭାଳ ହେଲାଣି । ତେବେ ଏହାକୁ ନେଇ ବର୍ତ୍ତମାନ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ତୁରନ୍ତ କିଛି ବାଟ ବାହାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହିଭଳି ବିପଦଜନକ ଅବସ୍ଥାରେ କଏଦୀ ଜେଲ୍ ରେ ରହିଲେ କରୋନା ସଂକ୍ରମଣ ଆହୁରି ବଢ଼ିବ ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଶୀଘ୍ର କୌଣସି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ପକ୍ଷରୁ କୁହାଯାଇଛି ।

ତେବେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ସରକାର ଏନେଇ କୌଣସି ଯୋଜନା ଦାଖଲ କରିବେ ବୋଲି କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଦାଏର ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଓ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ଜେଲ୍ ସ୍ଥିତି ବିଷୟରେ କୋର୍ଟକୁ ଅବଗତ କରାଯାଇଥିଲା । ଆଉ ଏହି ସମୟରେ ଭଦ୍ରକ ଉପଜେଲ୍ ବିଷୟରେ କୁହାଯାଇଥିଲା । ଏହି ଜେଲ୍ ରେ କ୍ଷମତାଠାରୁ ଢ଼େର୍ ଅଧିକ କଏଦୀ ରହିଛନ୍ତି । ଯେଉଁଠାରେ ୧୬୬ କଏଦୀ ରହିବା କଥା ସେଠାରେ ୪୩୦ କଏଦୀ ରହୁଛନ୍ତି । କରୋନା ସମୟରେ ଯଦି ଏତେ ସଂଖ୍ୟକ କଏଦୀ ଏକାଠି ରହିବେ ତାହେଲେ ସଂକ୍ରମଣ ଆଗକୁ ଭୟଙ୍କର ରୂପ ନେବ । ଏହା ଉଭୟ କଏଦୀ ଏବଂ ଜେଲ୍ କର୍ମଚାରୀଙ୍କ ପାଇଁ ବିପଦ ଆଣିପାରେ ବୋଲି ଆମିକସ୍କ୍ୟୁରୀ ଗୌତମ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ହାଇକୋର୍ଟ ଏହି ରିପୋର୍ଟ ଉପରେ ଉଦବେଗ ପ୍ରକାଶ କରି କହିଥିଲେ ଯେ, ଉପରୋକ୍ତ ଜେଲ୍ ରେ ଥିବା ଅଧିକ ସଂଖ୍ୟକ କଏଦୀଙ୍କୁ ଅନ୍ୟ କୋଠାକୁ ପର୍ୟ୍ୟାୟକ୍ରମେ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ । ରାଜ୍ୟ ସରକାରଙ୍କର ଥିବା ଅନ୍ୟାନ୍ୟ କୋଠାକୁ ଉନ୍ନତିକରଣ କରାଯାଇ ସେଠାରେ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବା ଆବଶ୍ୟକ । ତେବେ ରାଜ୍ୟ ସରକାର ଜେଲ୍ କଏଦୀଙ୍କୁ ନେଇ ପ୍ରସ୍ତୁତ କରିବାକୁ ଥିବା ଆକ୍ସନ୍ ପ୍ଲାନ୍ ରେ ଏହି ସବିୁ ଦିଗକୁ ଧ୍ୟାନ ଦେବାକୁ କୁହାଯାଇଛି । ଏହା ସହିତ ଜେଲ୍ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଯେଉଁସବୁ ଆଦେଶ ଦେଇଛନ୍ତି ସେସବୁ କେତେଦୂର କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସତ୍ୟପାଠ ମାମଲା ଶୁଣାଣିର ଗୋଟିଏ ସପ୍ତାହ ପୂର୍ବରୁ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.