ଟେକ୍ସାସରେ ଭୟଙ୍କର ବନ୍ୟା; 100ରୁ ଅଧିକ ମୃତ, ଅନେକ ନିଖୋଜ
ଆମେରିକାର ଟେକ୍ସାସରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟାସ୍ଥିତି। ବର୍ତ୍ତମାନ ସୁଦ୍ଧା 104ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟାସ୍ଥିତି। ବର୍ତ୍ତମାନ ସୁଦ୍ଧା 104ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସେହିପରି ଅନେକ ଲୋକ ଏବେ ବି ନିଖୋଜ ରହିଛନ୍ତି । ଟେକ୍ସାସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହ୍ବାଇଟ୍ ହାଉସ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏହି ସପ୍ତାହ ଶେଷରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ହେଲେ ଟ୍ରମ୍ପଙ୍କ ଗସ୍ତ ସମ୍ପର୍କରେ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।
ରିପୋର୍ଟ ଅନୁଯାୟୀ, ବିଭିନ୍ନ କାଉଣ୍ଟିରେ ନିଖୋଜ ଲୋକଙ୍କୁ ଖୋଜିବା ଏବଂ କ୍ଷୟକ୍ଷତି ଆକଳନ କରିବା ପାଇଁ ଜରୁରୀକାଳୀନ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି।
ଏହା ବ୍ୟତୀତ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ବନ୍ୟା ପୂର୍ବରୁ ସ୍ଥାନୀୟ ଏବଂ ସଂଘୀୟ ପାଣିପାଗ ବିଭାଗ କେର୍ କାଉଣ୍ଟି ସମ୍ପ୍ରଦାୟକୁ ସତର୍କ କରାଇଥିଲା । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ । ଲଗାଣ ବର୍ଷାରେ ବିଭିନ୍ନ ନଦୀ ଗୁଡ଼ିକ ଜଳସ୍ତର ବଢ଼ିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ପ୍ରଶାସନର କୌଣସି ହାତ ନାହିଁ । କିନ୍ତୁ ପୂର୍ବରୁ ନିରନ୍ତର ଭାବେ ଚେତାବନୀ ଦିଆଯାଇଥିଲା । ଜାତୀୟ ପାଣିପାଗ ବିଭାଗ ଲଗାତାର ସତର୍କ କରାଉଥିଲା ।
ଜୁଲାଇ 3 ତାରିଖରେ, ଅଷ୍ଟିନ-ସାନ ଆଣ୍ଟୋନିଓରେ ଥିବା NWS କାର୍ଯ୍ୟାଳୟର ଅଧିକାରୀ ଏକ ବ୍ରିଫିଂ କରିଥିଲେ ଏବଂ ଅପରାହ୍ନରେ ବନ୍ୟା ଚେତାବନୀ ଦିଆଯାଇଥିଲା । ହେଲେ ଶୁକ୍ରବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ, ଗୁଆଡାଲୁପ୍ ନଦୀର ଜଳସ୍ତର ମାତ୍ର 45 ମିନିଟରେ 26 ଫୁଟ ବୃଦ୍ଧି ପାଇଥିଲା, । ଯାହା ଟେକ୍ସାସ ହିଲ୍ କଣ୍ଟ୍ରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା।