fbpx

ମୁଜିବଙ୍କ ଯାଦୁକରୀ ସ୍ପିନରେ ଫସିଲା ସ୍କଟଲାଣ୍ଡ; ଆଫଗାନିସ୍ତାନର ବୃହତ ବିଜୟ

ନୂଆଦିଲ୍ଳୀ: ଶାରଜାରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ର ସୋମବାରର ମୁକାବିଲାରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ମାତ୍ର ୬୦ ରନରେ ଅଲଆଉଟ ହେବା ସହିତ ୧୩୦ ରନରେ ପରାଜିତ ହୋଇଛି ସ୍କଟଲାଣ୍ଡ । ମୁଜିବ ଉର ରେହମାନ ଓ ରଶିଦ ଖାନଙ୍କ ସ୍ପିନ ଯାଦୁରେ ପରାଜିତ ହୋଇଥିଲା ସ୍କଟଲାଣ୍ଡ । ମୁଜିବ ଉର ରେହମାନ ନିଜ ଅଫସ୍ପିନ ଯାଦୁରେ ମାତ୍ର ୨୦ ରନ ବ୍ୟୟ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । ୧୯୧ ରନର ଲକ୍ଷ୍ୟ ପିଛା କରୁଥିବା ସ୍କଟଲାଣ୍ଡ ୧୦.୨ ଓଭରରେ ୬୦ ରନରେ ଅଲଆଉଟ ହୋଇଥିଲା । ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନସେ ସର୍ବାଧିକ ୨୫ ରନ କରିଥିବା ବେଳେ ୮ ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ମୁଜିବ ଉର ରେହମାନ ୨୦ ରନରେ ୫ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ ମାତ୍ର ୯ ରନରେ ୪ଟି ୱିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ୱିକେଟ ହରାଇ ୧୯୦ ରନ କରିଥିଲା । ନଜିବୁଲ୍ଲା ମାତ୍ର ୩୪ ବଲରୁ ସର୍ବାଧିକ ୫୯ ରନ କରିଥିଲେ । ତାଙ୍କ ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ହଜରତଉଲ୍ଳା ଜଜାଇ ୪୪ ଓ ଗୁରବାଜ ୪୬ ରନର ଅବଦାନ ଦେଇଥିଲେ । ଶଫ୍ୟାନ ଶରିଫ୍ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ଡାଭେ ଓ ମାର୍କ ୱାଟ୍ଟ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.