‘ନନ୍ଦିଘୋଷ’ ଓ ‘ଘୋଷଯାତ୍ରା’ ନାମର ମହତ୍ତ୍ୱ: ଏକ ଅବଲୋକନ

ପୁରୀ(ଓଡ଼ିଶା ଭାସ୍କର): ମହାବାହୁ ଶ୍ରୀଜଗନ୍ନାଥଙ୍କ ରହିଛି ଅସରନ୍ତି ଗାଥା । ଅମାପ ମହିମାର ଅନନ୍ୟ ଅବର୍ଣ୍ଣନୀୟ କଳାଠାକୁର । ଭାଷାରେ ତାକୁ କିଏ ବା ବଖାଣି ପାରିବ! କେବଳ ଭାବରେ ହିଁ ତାକୁ ଅନୁଭବ କରିହୁଏ । ସେ ଭାବର ଠାକୁର ଭକ୍ତବତ୍ସଳ । ସେ ବଡ଼ ଠାକୁର, ତାର ଦେଉଳ ବଡ଼, ପତିତପାବନ ବାନା ବଡ଼, ଭୋଗ ବଡ଼, ମହୋଦଧୀ ବଡ଼….. ଏମିତି ବଡ଼ କରୁଣା ସାଗର କୃପାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ଅପାର । ପୋଥି-ପୁରାଣ-କିମ୍ବଦନ୍ତୀ, ଐତିହ୍ୟ-ପରମ୍ପରା- ସଂସ୍କୃତି, ସବୁଠି ତା ସମ୍ପର୍କରେ କରାଯାଇଛି ବର୍ଣ୍ଣନା । ତଥାପି ତାକୁ ଭାଷାରେ ବ୍ୟକ୍ତ କରିବା ଅସମ୍ଭବ । ତେବେ ବିଶ୍ୱ ପ୍ରସିଦ୍ଧ ବଡ଼ ଠାକୁରଙ୍କ ବଡ଼ ଯାତ୍ରା ଘୋଷଯାତ୍ରାକୁ ଗୁଣ୍ଡିଚା ଯାତ୍ରା ଓ ରଥଯାତ୍ରା ବୋଲି କୁହାଯାଏ । ସେହିପରି ନବଦିନାତ୍ମକ ଯାତ୍ରା ଓ ଦଶ ଅବତାର ଯାତ୍ରା ବୋଲି ଅନେକ ବ୍ୟାଖ୍ୟାକାର କହିଥାନ୍ତି । ଏହି ସମୟରେ ମହାପ୍ରଭୁ ବିଜେ କରନ୍ତି ‘ନନ୍ଦିଘୋଷ’ ରଥରେ । ଏହି ମହାର୍ଘ୍ୟ ମୁହୂର୍ତ୍ତର ଦର୍ଶନ ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇ ଚାତକ ପରି ଚାହିଁ ରହିଥାନ୍ତି । ତେବେ ଏହି ନନ୍ଦିଘୋଷ ଓ ଘୋଷଯାତ୍ରା ସମ୍ପର୍କରେ ଅନେକ କଥା-ଗାଥା ବର୍ଣ୍ଣିତ ରହିଛି । ସେ ମଧ୍ୟରୁ ପୌରାଣିକ ପୃଷ୍ଠଭୂମିରେ ଆଧାରିତ ରାମାୟଣ ସହ ସୁନ୍ଦର କଥାଟିଏ ମଧ୍ୟ ବର୍ଣ୍ଣନା କରାଯାଇଛି ।

ରାମାୟଣ କଥା

ମହା ପ୍ରତାପୀ ରାବଣ ସହ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଯୁଦ୍ଧ ବେଳ । ରାବଣ ପାଖେ ଅସଂଖ୍ୟ ସେନା ଆଉ ପ୍ରଭୁଙ୍କ ପାଖେ ସୀମିତ ବାନର ସେନା । ଖାଲି ସେତିକି ନୁହେଁ ମାୟାବୀ ରାବଣ ପାଖେ ଯୁଦ୍ଧ ବିମାନ ଥିବାବେଳେ ପ୍ରଭୁ ଥିଲେ ଶୂନ୍ୟ । ତେବେ ଦେବଗଣ ଏହା ଦେଖି ବିଚାର ବିମର୍ଷ କରିବା ପରେ ଇନ୍ଦ୍ରଦେବ ପଠାଇଥିଲେ ରଥ । ପ୍ରଭୁ ଶ୍ରୀରାମଙ୍କ ପାଖକୁ ରଥ ପହଞ୍ôଚ ଗଲା । ସେହିପରି ଦେବ ଦେବ ମହାଦେବ ନିଜ ପ୍ରିୟ ନନ୍ଦିଙ୍କୁ ପଠାଇଥିଲେ ରଥ ସମ୍ଭାଳିବା ପାଇଁ । ଖାଲି ସେତିକି ନୁହେଁ ପ୍ରଭୁଙ୍କ ରଥରେ ବିରାଜ କରିଥିଲେ ସୁଦର୍ଶନ ଚକ୍ର । ମହାବଳୀ ନନ୍ଦି ଓ ସୁଦର୍ଶନଙ୍କ ଘୋର ଗର୍ଜନରେ ତ୍ରିଭୂବନ କମ୍ପି ଉଠିଥିଲା । ଆଉ ଏହି ଗର୍ଜନରେ ଟଳି ପଡ଼ିଥିଲେ ରାବଣର ହଜାର ହଜାର ସୈନ୍ୟ । ରାବଣ ପାଖେ ମଧ୍ୟ ରହିଲା ସୀମିତ ସୈନ୍ୟ । ଏହା ପରେ ପାପ ଆଉ ପୁଣ୍ୟର ଯୁଦ୍ଧ ଜୋର ଧରିଥିଲା । ପାପର ବିନାଶ ପୂର୍ବକ ରାବଣର ବଧ କରିଥିଲେ ପ୍ରଭୁ ଶ୍ରୀରାମ ।

Nandighosha Ratha and Ghosh Jatra Mahatwa

ଠିକ୍ ସେହି ଆଧାରରେ ଜଗତ ଠାକୁରଙ୍କ ରଥରେ ନନ୍ଦି ବିରାଜ କରିଥିବାରୁ ତାହା ନନ୍ଦିଘୋଷ ରଥ । ଆଉ ଘନଘୋର ଗର୍ଜନକୁ ମଧ୍ୟ ବିଚାର ପୂର୍ବକ ମହାବାହୁଙ୍କ ଯାତ୍ରାର ନାମ ଘୋଷଯାତ୍ରା । ଏବେ ବି ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିବାବେଳେ ଶୁଭେ ଅଲୌକିକ ଶବ୍ଦାମୃତ । ବଡ଼ଦାଣ୍ଡରେ ଗଡ଼େ ନନ୍ଦିଘୋଷ ରଥ । ପ୍ରଭୁ ଯାତ୍ରା କରନ୍ତି-ଘୋଷଯାତ୍ରା । ବଡ଼ଭାଇ ଶ୍ରୀବଳଭଦ୍ର ଆଉ ଭଉଣୀ ସୁଭଦ୍ରା ଦେବୀ ଅନ୍ୟ ଦୁଇ ରଥ ତାଳଧ୍ୱଜ ଓ ଦେବଦଳନରେ ବିରାଜିତ ମଧ୍ୟ ହୁଅନ୍ତି । ତିନିହେଁ ଯାତ୍ରା କରନ୍ତି ମାଉସୀ ମା’ ଘରକୁ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏଭଳି ଅନେକ ଲୀଳାମୟ ଗାଥା ରହିଛି । ସେସବୁର ତାତ୍ତ୍ୱିକ ଅର୍ଥ ଭାରି ଭାବମୟ ଓ ଶିକ୍ଷଣୀୟ ।

Get real time updates directly on you device, subscribe now.

Comments
Loading...