fbpx

ଶାରଦୀୟ ଦୁର୍ଗାଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ନାଗା ଉପାସନା

ପୁରୀ: ଶ୍ରୀକ୍ଷେତ୍ରରେ ନାଗା ଉପାସନା ବହୁ ପ୍ରାଚୀନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପରମ ପାବନ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାଉତ୍ସବ ଅବସରେ ଚାଲିଛି ନାଗାଉପାସନା  । ଆବାହନମାନ କାଳରୁ ଶ୍ରୀକ୍ଷେତ୍ରର ଥିବା ଅନେକ ନାଗା ଆଖଡ଼ା ଗୁଡ଼ିକରେ ନାଗା ଉପାସନା ପ୍ରଚଳିତ ରହିଆସିଛି  । ସହରର ବିଭିନ୍ନ ସ୍ଥାନରେ ୧୦ରୁ ଉର୍ଦ୍ଧ୍ୱ ନାଗାମୂର୍ତ୍ତି ପୂଜା ପାଉଛନ୍ତି । କିନ୍ତୁ କରୋନା ମହାମାରୀ ପାଇଁ ମୂର୍ତ୍ତିର ଉଚ୍ଚତାକୁ କମ କରାଯାଇଛି ।

ପ୍ରାଚୀନ ସମୟରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବିଭିନ୍ନ ନାଗା ଆଖଡ଼ା ରହିଥିବା ବେଳେ ସେଠାରେ ନାଗା ସାଧୁମାନେ ଅବସ୍ଥାନ କରୁଥିଲେ  । ତେଣୁ ସେହି ସମୟରୁ ଶ୍ରୀକ୍ଷେତ୍ରରେ ନାଗା ଉପାସନା ଚାଲିଆସୁଛି । ବନଦୁର୍ଗା ମନ୍ତ୍ରରେ ଏହି ନାଗା ଉପାସନା କରାଯାଏ  । ମହାସପ୍ତମୀ,ମହାଅଷ୍ଟମୀ, ମହା ନବମୀ ଓ ବିଜୟା ଦଶମୀ ଏହି ଚାରିଦିନ ଧରି ନାଗାମୂର୍ତ୍ତିଙ୍କୁ ଶ୍ରୀକ୍ଷେତ୍ରରେ ପୂଜା କରାଯାଉଥିବା ବେଳେ ଏକାଦଶୀ ତିଥିରେ ବିସର୍ଜନ କରିବାର ପରମ୍ପରା ରହିଛି  । ନାଗା ଉପାସନା ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା ବହନ କରେ । ବୀରପୁରୁଷ ଠାଣିରେ ଏହି ନାଗାପୂଜା ପରମ୍ପରା ଶ୍ରୀକ୍ଷେତ୍ରର ଯାଗା ଆଖଡ଼ା ସହ ଜଡ଼ିିତ ବୋଲି ଗବେଷକ ମତ ଦିଅନ୍ତି  ।

ଶ୍ରୀକ୍ଷେତ୍ରର ବାଲିସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ବାସେଳୀ ସାହି ସମେତ ପଶ୍ଚିମ ଦ୍ୱାର, ମାଜଣା ଜାଗା, ନରେନ୍ଦ୍ର କୋଣ ଓ ପେଣ୍ଠକଟା ଆଦି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଏହି ବିଶାଳକାୟ ନାଗାମୁର୍ତି ପୂଜା କରାଯାଉଛି  । ଏହାର ନିର୍ମାଣ ଶୈଳୀ ସ୍ୱତନ୍ତ୍ର ଅଟେ  । ବିରାଟକାୟ ନାଗା ମୂର୍ତ୍ତିର ମୁଣ୍ଡରେ ହାଣ୍ଡିଆ ଥିବାବେଳେ ବାମ ପାଦ ନିକଟରେ ବ୍ୟାଘ୍ର ରହିଛି  । ନଗାମୁର୍ତ୍ତିର ପଛପଟେ ତାଟି ରହିଥିବା ବେଳେ ହାତରେ ଓଳମାଳ, ରୁଦ୍ରାକ୍ଷ ମାଳି, କାଠମାଳି, ବାଙ୍କ ଛୁରୀ ଓ ଢାଲ ରହିଥାଏ  । ସେହିପରି ନାଗାଙ୍କ ମୋଟା ନିଶଦାଢ଼ି, କପାଳରେ ସିନ୍ଦୁର କଲି ଶୋଭାପାଉଥାଏ । ଶ୍ରୀକ୍ଷେତ୍ର ବ୍ୟତୀତ ନାଗା ମୂର୍ତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ  । ଗବେଷକଙ୍କ ମତରେ ରାମାନୁଜଙ୍କ ସମୟରୁ ହିଁ ଶ୍ରୀକ୍ଷେତ୍ରରେ ନାଗା ଉପସନା ପ୍ରଚଳିତ । ଆସନ୍ତା ଶନିବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭସାଣୀ ଉତ୍ସବ ଯାହା ଦେବୀସଭା ନାମରେ ନାମିତ ।

Get real time updates directly on you device, subscribe now.