ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଦୁଇଦିନ ପରେ ନୂଆବର୍ଷ ୨୦୨୩ ପାଦ ଥାପିବ । ତେବେ ଏହି ଅବସରରେ ରାଜ୍ୟରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନୂଆ ବର୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖାଯିବ । ଆସନ୍ତା ଏକ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେବ । ଏନେଇ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି ।
ତେବେ ଆସନ୍ତା ୩୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ନାମଫଳକ ଲେଖାଯିବ । ପ୍ରାଦେଶିକ ଭାଷାର ସମ୍ମାନ ଓ ଗୌରବକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହାର କାର୍ଯ୍ୟକାରିତା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବା ଦରକାର । ପୂର୍ବରୁ ଏନେଇ ଅନେକ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମେ ମାସରେ ଶାସନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଥିଲା । ତିନି ସପ୍ତାହ ମଧ୍ୟରେ ତା’ର ଉତ୍ତର ପ୍ରଦାନ କରିବାକୁ କୁହାଯାଇଥିଲା । ଏ ବାବଦରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ, ସରକାରୀ ଓ ଘରୋଇ କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ସୂଚିତ କରାଯାଇଥିଲା । ଗତ ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମିଳିଥିଲେ ହେଁ ଅନେକ ଶିକ୍ଷାନୁଷ୍ଠାନରେ ଆଜି ବି ଓଡ଼ିଆରେ ନାମଫଳକ ଲାଗି ନଥିବା ଦେଖାଯାଉଛି । ରାଜ୍ୟ ସରକାର ଏହାକୁ ଲଗାଇବା ବାଧ୍ୟତାମୂଳକ କରିଥିଲେ ହେଁ ତାହା କାର୍ଯ୍ୟକାରୀ ହେଉ ନାହିଁ ।