ବିଶ୍ୱବାସୀ ଶୁଣିଲେ ଓଡ଼ିଆ ଭାଷାରେ ରାମ ଭଜନ: ନମିତା ଅଗ୍ରୱାଲ ଗାଇଥିବା ଗୀତକୁ ଶେୟାର କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି । ଆଜି ପ୍ରଭୁଙ୍କ ଦିବ୍ୟ ପ୍ରତିମୂର୍ତ୍ତିକୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏହା ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟର ଅନ୍ୟତମ ସ୍ୱନାମଧନ୍ୟା ଗାୟିକା ନମିତା ଅଗ୍ରୱାଲ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ନମିତା ଗାଇଥିବା ଏକ ଓଡ଼ିଆ ଶ୍ରୀରାମ ଭଜନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି । ଆଗକୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାବେଳେ ତା’ ପୂର୍ବରୁ ବିଭିନ୍ନ ଭାଷାରେ ଅନେକ ରାମ ଭଜନ ରିଲିଜ୍ ହେଉଥିବା ଦେଖାଯାଉଛି ।

ନମିତାଙ୍କ କଣ୍ଠରୁ ନିସୃତ ଏହି ରାମ ଭଜନ ଶୁଣିବାକୁ ବେଶ୍ ହୃଦୟସ୍ପର୍ଶୀ ହୋଇଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ଏହାକୁ ତାଙ୍କର ଟ୍ୱିଟର ହ୍ୟାଲେଣ୍ଡରେ ଶେୟାର କରିଛନ୍ତି । ଏହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ବିଷୟ । ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’ ଗୀତଟିକୁ ନିମିତା ଗାଇଥିବା ବେଳେ ତାହାକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ରଥ । ଏହି ପୋଷ୍ଟକୁ ଦେଖିବା ପରେ ଓଡ଼ିଶା ସମେତ ଦେଶ-ବିଦେଶର ଅନେକ ୟୁଜର୍ସ ବିମୁଗ୍ଧ ହୋଇଛନ୍ତି । ଏହି ଅବସରରେ ମୋଦୀ କ୍ୟାପସରେ ଲେଖିଛନ୍ତି, ‘ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଅତୁଟ ରହିଛି । ଆପଣମାନେ ବିଭିନ୍ନ ଭାଷାରେ ରାମଙ୍କ ଉପରେ ଆଧାରିତ ଅନେକ ଭଜନ ପାଇବେ । ଠିକ୍ ସେହିଭଳି ଭାବେ ଏକ ପ୍ରୟାସ ଓଡ଼ିଆ ଭାଷାରେ…. ।’